Latest Odisha News

BREAKING NEWS

ଶେଷରେ ଦାମ ଗଢିଲେ ନୂଆ ଦଳ, ବିଜୁ ସମତା କ୍ରାନ୍ତି ଦଳ

ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ହେବାର ପ୍ରାୟ ଅଢେଇ ମାସ ପରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ଶେଷରେ ଆନୁଷ୍ଠାନିକ ଭାବେ ତାଙ୍କର ନୂଆ ରାଜନୈତିକ ଦଳର ନାମ ଘୋଷଣା କରିଛନ୍ତି । ରାଜଧାନୀରେ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦାମ ଆନୁଷ୍ଠାନିକ ଭାବେ ନୂତନ ଭାବେ ଗଠନ ହୋଇଥିବା ‘ବିଜୁ ସମତାକ୍ରାନ୍ତି ଦଳ’ ସମ୍ପର୍କରେ ଘୋଷଣା କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି, ନୂତନ ଭାବେ ଗଠନ ହୋଇଥିବା ଏହି ଦଳ ବିଜେଡ଼ି ସରକାରର ଅରାଜକତା ଓ ଦୁର୍ନୀତି ବିରୋଧରେ ଲଢେଇ କରିବ ।

“କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରୁ ବିଚ୍ୟୁତ ହୋଇଯାଇଥିବା ଶାସକ ଦଳର ସରକାର ବିରୋଧରେ ନୂଆ ଆଞ୍ଚଳିକ ଦଳ ବିରୋଧ କରିବ”ବୋଲି କହିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଜେଡ଼ି ନେତା ଯଜେ୍ଞଶ୍ୱର ବାବୁ ଏବଂ ବ୍ରଜ କିଶୋର ତ୍ରିପାଠୀ ଉପସ୍ଥିତ ରହିଥିଲେ ।

ଦଳର ଅଧ୍ୟକ୍ଷ ଭାବେ ବରିଷ୍ଠ ନେତା ବ୍ରଜ କିଶୋର ତ୍ରିପାଠୀଙ୍କ ନାମ ଘୋଷଣା କରିଥିଲେ ଦାମ, ଯେହେତୁ ସେ କୌଣସି ଦଳୀୟ ପଦବୀ ନେବାକୁ ଇଛୁକ ନୁହଁନ୍ତି ତେଣୁ ସେ ଦଳୀୟ କ୍ୟାମ୍ପେନ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ।

ଏହି ବରିଷ୍ଠ ନେତା ପୂର୍ବରୁ ବିଜେଡ଼ି ବିରୋଧରେ ଗଣମାଧ୍ୟମ ସାମ୍ନାରେ କେତେକ ଦୁର୍ନୀତି ଅଭିଯୋଗ କରିଥିଲେ, ସେଥିମଧ୍ୟରେ ରହିଛି – ଯାଜପୁର ଜିଲ୍ଲାର ଡ଼ଙ୍କାରୀ ପାହାଡ଼ ଲୁଟ, ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବା ଚାରା ରୋପଣ ଦୁର୍ନୀତି, ଓମଫେଡ଼କୁ ପଲିଥିନ ବଣ୍ଟନ, କୋଅପରେଟିଭ ବ୍ୟାଙ୍କ ଅର୍ଥ ହେରଫେର ତଥା ବ୍ଲାକ ରୋଜ ଏବଂ ରାମକୋ ସିମେଣ୍ଟ ଫ୍ୟାକ୍ଟ୍ରି ଦୁର୍ନୀତି ।

Leave A Reply

Your email address will not be published.