Latest Odisha News

BREAKING NEWS

କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳା ଗର୍ଭଗୃହର ସୁରକ୍ଷା ନେଇ ଉଦବେଗ ବଢୁଛି

ଭୁବନେଶ୍ୱର: ଓଡ଼ିଶାର ପୁରୀ ଜିଲ୍ଲାରେ ସ୍ଥିତ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହର ସୁରକ୍ଷା ନେଇ ଏବେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ବିଶେଷଜ୍ଞ ଦଳ ମୁଖଶାଳାର ଗର୍ଭଗୃହରେ ଥିବା ବାଲି ଓ ପଥର ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବକ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଗୁରୁତ୍ୱ ପ୍ରକାଶ କରି ଭାରତୀୟ ପତ୍ନତତ୍ତ୍ୱ ବିଭାଗକୁ ପରାମର୍ଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ୧୯୦୩ ମସିହାରେ ତତ୍କାଳୀନ ବ୍ରିଟିଶ୍ ସରକାର ଗର୍ଭଗୃହର ସଙ୍କଟଜନକ ପରିସ୍ଥିତିର ମୁକାବିଲା କରିବାକୁ ବାଲି ଓ ପଥର ଭର୍ତ୍ତି କରି ସିଲ୍ କରିଦେଇଥିଲେ ।

କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳାର ଗର୍ଭଗୃହକୁ ୨୦୧୫ ମସିହାରେ ରୁରକିର ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆରଆଇ)ପ୍ରଥମ ପର୍ଯ୍ୟାୟରେ ଜିପିଆରଏସ, ଜେଜର୍ ସ୍କାନିଂ ଏବଂ ଏଣ୍ଡୋସ୍କୋପି ମାଧ୍ୟମରେ ପରୀକ୍ଷା ନିରୀକ୍ଷା ସହିତ ଯାଞ୍ଚ କରି ଏହାର ରିପୋର୍ଟ ଏଏସଆଇକୁ ହସ୍ତାନ୍ତର କରିଥିଲେ । ଏହି ରିପୋର୍ଟରେ ବାଲି ଦବିଥିବା ତଥା ପଥର ଖସିଥିବା କଥା ସିବିଆରଆଇ ଉଲ୍ଲେଖ କରିଛନ୍ତି ।

ତେବେ ୨୦୧୭ ମସିହାରେ ମଧ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳାର ଗର୍ଭଗୃହର ୨ୟ ପର୍ଯ୍ୟାୟ ସର୍ଭେ କରିବା ପରେ ମଧ୍ୟ ଏଏସଆଇ ଏପର୍ଯ୍ୟନ୍ତ ରିପୋର୍ଟକୁ ନା ସାର୍ବଜନୀନ କଲେ ଆବଶ୍ୟକୀୟ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କଲେ ।

“ ମୁଖଶାଳା ଗର୍ଭଗୃହର ବିମଟି ତାହାର ପ୍ରକୃତ ସ୍ଥାନରୁ ଖସିଯାଇଥିବା ବେଳେ ଏହା ନିକଟ ପଥରରେ ଫାଟ ସୃଷ୍ଟି ହୋଇଛି । ଯଦି ନିକଟରେ ଭୂମିକମ୍ପ ଅନୁଭୁତ ହୁଏ ତେବେ ମୁଖଶାଳାର ଗର୍ଭଗୃହର ଉପର ଅଂଶ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ ହୋଇପଡ଼ିବାର ସମ୍ଭାବନା ରହିଛି ।

ଏନେଇ ଆମେ ଏଏସଆଇକୁ ପୂର୍ବରୁ ଅବଗତ କରାଇସାରିଛୁ, ଏଥିସହିତ ଏସମ୍ପର୍କରେ ଏକ କୋର କମିଟି ଏବଂ ଷ୍ଟିୟରିଂ କମିଟି ଗଠନ କରି ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଆମେ ପରାମର୍ଶ ଦେଇଛୁ,”ବୋଲି କହିଛନ୍ତି ମନ୍ଦିର ବିଶେଷଜ୍ଞ ବି ଏନ ରଥ ।

ଗଣମାଧ୍ୟମକୁ ସୂଚନାଦେଇ ଏଏସଆଇ ସୁପରିଟେଣ୍ଡେଣ୍ଟ୍ ଅରୁଣ ମଲ୍ଲିକ କହିଛନ୍ତି, ସିବିଆରଆଇ ର ପରାମର୍ଶ ପରେ ଷ୍ଟିୟରିଂ କମିଟି ଏହି କଥା ଉପସ୍ଥାପନ କରାଯିବ ଏବଂ ଷ୍ଟିୟରିଂ କମିଟି ଏହାକୁ ଗୁରୁତ୍ୱ ଦେବ । “କିନ୍ତୁ ଏହା ଗ୍ରହଣୀୟ କି ନୁହେଁ ତାହା ଷ୍ଟିୟରିଂ କମିଟି ହିଁ ନିଷ୍ପତ୍ତି ନେବ ।”

Leave A Reply

Your email address will not be published.