Latest Odisha News

BREAKING NEWS

ରାବଣ ପୋଡ଼ିକୁ ନେଇ ଦାମ-ପ୍ରଶାନ୍ତ ବଳ କଷାକଷି, ଏରସମାରେ ତୀବ୍ର ଉତ୍ତେଜନା

ଜଗତସିଂହପୁର: ରାବଣ ପୋଡ଼ିକୁ କେନ୍ଦ୍ର କରି ଜଗତସିଂହପୁର ଜିଲ୍ଲା ଏରସମାରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଜେଡ଼ିରୁ ବହିଷ୍କୃତ ବରିଷ୍ଠ ନେତା ଦାମୋଦର ରାଉତ ଏବଂ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ମଧ୍ୟରେ ଦଶହରାରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ଅନୁଷ୍ଠିତ ରାବଣ ପୋଡ଼ିକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ମିଳିଥିବା ସୂଚନାନୁଯାୟୀ, ପାରାଦୀପ ବିଧାୟକ ଦାମୋଦର ରାଉତ ବିଗତ ୩୫ ବର୍ଷ ଧରି ଏରସମାରେ ଅନୁଷ୍ଠିତ ରାବଣ ପୋଡ଼ି ଆୟୋଜନ କରି ଆସୁଥିଲେ । କିନ୍ତୁ ଏହି ବର୍ଷ ସ୍ଥାନୀୟ ପ୍ରଶାସନ ଦାମଙ୍କୁ ଏଠାରେ ରାବଣ ପୋଡ଼ି ଉତ୍ସବ ଆୟୋଜନ କରିବାକୁ ଅନୁମତି ପ୍ରଦାନ ନକରି ବରଂ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ରାବଣ ପୋଡ଼ି ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି ।

ଏହାକୁ ନେଇ ସମଗ୍ର ଏରସମାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଦାମଙ୍କ ରାବଣ ପୋଡ଼ି ପେଣ୍ଡାଲ ଓ ପୋଡ଼ିୟମକୁ ସେହି ସ୍ଥାନରୁ ପ୍ରଶାସନ ପୋଲିସ ଉପସ୍ଥିତିରେ ବାହାର କରିଦେଇଥିବା ପ୍ରକାଶ ।

ଏସମ୍ପର୍କରେ ପଚାରିବାରୁ ଜିଲ୍ଲା ପ୍ରଶାସନ କହିଛନ୍ତି, ପୂର୍ବରୁ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ଅନୁମତି ଦେବାକୁ କହିଥିଲେ । ଜିଲ୍ଲା ପ୍ରଶାସନ ବିଧାୟକ ପ୍ରଶାନ୍ତଙ୍କୁ ଏହି ରାବଣ ପୋଡ଼ି ଆୟୋଜନ କରିବାକୁ ଅନୁମତି ଦେଇଥିଲେ । କିନ୍ତୁ ଦାମଙ୍କ ପେଣ୍ଡାଲ୍ ଓ ପୋଡ଼ିୟମ ପୋଲିସ ନେଇଯିବା ସମ୍ପର୍କରେ ଜିଲ୍ଲା ପ୍ରଶାସନ କିଛି କହିନଥିଲେ ।

ତେବେ ଏହି ଘଟଣାକୁ କେନ୍ଦ୍ରକରି ‘ଏରସମା ଗ୍ରାମ୍ୟ କମିଟି’ ପକ୍ଷରୁ ଶନିବାର ଦିନ ୨୪ ଘଣ୍ଟିଆ ଏରସମା ବନ୍ଦ ଡ଼ାକରା ଦିଆଯାଇଛି । ଶନିବାର ଦିନ ସମ୍ପୂର୍ଣ୍ଣ ଏରସମାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ସୂଚନା ମିଳିଛି । ଏରସମା ସହରରେ ଆଜି ସମ୍ପୂର୍ଣ୍ଣ ବନ୍ଦ ପାଳନ ହେବା ସହିତ ଦୋକାନ ବଜାର ଏବଂ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା ।

ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଜଗତସିଂହପୁର ଜିଲ୍ଲା ଏସପି ଆର ପ୍ରକାଶ କହିଛନ୍ତି, ରାବଣ ପୋଡ଼ି କିପରି ଶାନ୍ତି ଶୃଙ୍ଖଳାର ସହିତ ପାଳନ ହେବ ସେଥିଲାଗି ସତର୍କତା ଅବଲମ୍ବନ କରିବା ସହିତ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଜିଲ୍ଲା ଏସପି ଏନେଇ ଆହୁରି ମଧ୍ୟ କହିଛନ୍ତି, ୨ ଦିନ ପୂର୍ବରୁ ଆମେ ଉଭୟ ଗୋଷ୍ଠୀର ଆୟୋଜକମାନଙ୍କୁ ଡ଼କାଇ ଆପୋଷ ସମାଧାନ ଲାଗି ଚେଷ୍ଟା କରିଥିଲୁ, କିନ୍ତୁ ଆମର ଚେଷ୍ଟା ବୃଥା ଗଲା ବୋଲି କହିଛନ୍ତି ଜିଲ୍ଲା ଏସପି ।

ଜଗତସିଂହପୁର ଜିଲ୍ଲା ଏସପି ଶନିବାର ଏରସମା ବଜାରରେ ବନ୍ଦ ପାଳନ ସମ୍ପର୍କରେ କହିଛନ୍ତି, “କିଛି ବ୍ୟକ୍ତି ଆଜି ବଜାରରେ ଦୋକାନ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏସସମାରେ ଅନେକ ଦୋକାନ ବନ୍ଦ ରହିଛି ଏବଂ କିଛି ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ସ୍ୱାଭାବିକ ରୂପେ ଖୋଲା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ୍ ଓ ଏସଡ଼ିପିଓଙ୍କ ଉପସ୍ଥିତିରେ ୨ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି” ।

Leave A Reply

Your email address will not be published.