Latest Odisha News

BREAKING NEWS

ଦାମ ଛାଡ଼ିଲେ ବିଜେପି

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବୁଧବାର ଦିନ ବିଜେପିର ସାଧାରଣ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ଦାମ କହିଛନ୍ତି ଯେ, ସେ ତାଙ୍କର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି ।

“ଭାରତୀୟ ଜନତା ପାର୍ଟିର ବିଭିନ୍ନ ରାଜନେତାମାନେ ଜନସ୍ୱାର୍ଥ ସାଧନରେ ମିଳିତଭାବେ କାର୍ଯ୍ୟ କରିବା ନେଇ ମୋତେ ପ୍ରରୋଚିତ କରି ନିଜଆଡୁ ଦିଲ୍ଲୀନେଇ ଭାରତୀୟ ଜନତା ପାର୍ଟିରେ ରାଷ୍ଟ୍ରୀୟ ସଭାପତିଙ୍କ ଉପସ୍ଥିତିରେ ଦଳରେ ସାମିଲ କରିଥିଲେ । ସେଠାରେ ଭାରତୀୟ ଜନତାପାର୍ଟିର ସଦସ୍ୟତା ଗ୍ରହଣ କରିବା ପରେ ମୋତେ ରାଜ୍ୟରେ ପ୍ରଚାର କମିଟିର ଆବାହକ ଭାବରେ ସ୍ୱତନ୍ତ୍ର ଦାୟିତ୍ୱ ଦେଇ ଗତ ସାଧାରଣ ନିର୍ବାଚନରେ ଦଳ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ନିୟୋଜିତ କରିଥିଲେ । ଦୀର୍ଘ ସାଢେ ଚାରିଦଶନ୍ଧିର ସକ୍ରୀୟ ରାଜନୈତୀକ ଜୀବନରେ ଅଣକଂଗ୍ରେସ ରାଜନୈତିକ ଦଳରେ କାର୍ଯ୍ୟ କଲାପରେ ମୁଁ ନିଜକୁ ବିଜେପିରେ ସାମିଲ କରିଥିଲି । ମାତ୍ର ଦୁଃଖ ଓ ପରିତାପର ବିଷୟ – ଗତ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନୀତି ନିଷ୍ପତ୍ତି ପ୍ରକ୍ରିୟାରେ ମୋର ଉପସ୍ଥିତି ବା ସଂପୃକ୍ତି ଆଦୌ ଆବଶ୍ୟକ ହେଉନଥିବା ମୁଁ ଅନୁଭବ କରୁଛି । ଏହା ମୋ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି କରିଛି,” ବୋଲି ଶ୍ରୀ ରାଉତ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।

ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ବରିଷ୍ଠ ନେତା ଦାମୋଦର ରାଉତ ଇସ୍ତଫା ପ୍ରଦାନ କରିବା ପରେ ସାମ୍ବାଦିକମାନେ ତାଙ୍କୁ ଯଦି ଦଳ ପକ୍ଷରୁ କୁହାଯାଏ ତେବେ ବିଜୁ ଜନତା ଦଳ (ବିଜେଡ଼ି)ରେ ପୁଣି ମିଶିବା ନେଇ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଦାମ କହିଛନ୍ତି, ସମୟ ଆସିଲେ ସେ ସଠିକ୍ ନିଷ୍ପତ୍ତି ଗ୍ରହଣ କରିବେ ।

ଭାରତୀୟ ଜନତା ପାର୍ଟି (ବିଜେପି)ରୁ ବରିଷ୍ଠ ନେତା ଦାମୋଦର ରାଉତ ଇସ୍ତଫା ପ୍ରଦାନ କରିବା ପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବିଜେପିରେ ସମସ୍ତେ ସମାନ ଏବଂ ଏଠାରେ କାହାକୁ ଅଣଦେଖା କରାଯାଏ ନାହିଁ । କୌଣସି ନେତାଙ୍କୁ କମ୍ ବେଶୀ ସମ୍ମାନ କି ଏପରି କୌଣସି ସାନ ବଡ଼ ଦେଖାଯାଏନାହିଁ । ଏହି ଦଳରେ ସମସ୍ତେ ନେତା ଏବଂ କାର୍ଯ୍ୟକର୍ତ୍ତା । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜେ ଜଣେ ସାଧାରଣ କର୍ମୀ ଭାବେ ନିଜକୁ ଅନେକ ଥର କହିଛନ୍ତି । ଏହି ଦଳରେ ସମସ୍ତଙ୍କ ବିଚାରକୁ ନେଇ ହିଁ ଯେକୌଣସି ନିଷ୍ପତ୍ତି ଗ୍ରହଣ କରାଯାଇଥାଏ ।

ଏଠାରେ ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୨୨ରେ ଦାମଙ୍କୁ ବିଜେଡ଼ିରୁ ବହିଷ୍କୃତ କରାଯାଇଥିଲା । ସେ ଶାସକ ଦଳ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଯାଜପୁର ଜିଲ୍ଲା ଡ଼ଙ୍କାରୀ ପାହାଡ଼ ଲୁଟ୍ ଘଟଣା, ମୟୂରଭଞ୍ଜ ଜିଲ୍ଲାର ଚାରା ଦୁର୍ନୀତି, ଓମଫେଡ଼, କୋ-ଅପରେଟିଭ୍ ବ୍ୟାଙ୍କ ଅର୍ଥ ହେରଫେର ତଥା ବ୍ଲାକ୍ ରୋଜ୍ ଏବଂ ରାମକୋ ସିମେଣ୍ଟ ଫ୍ୟାକ୍ଟ୍ରି ପ୍ରସଙ୍ଗକୁ ନେଇ ଦାମ ଶାସକ ଦଳ ବିରୋଧରେ ସେତେବେଳେ ସ୍ୱର ଉତ୍ତୋଳନ କରିଥିଲେ ।

ଦାମ ୨୦୧୮ ନଭେମ୍ବର ୨୩ ତାରିଖରେ ଅରାଜକତା ଓ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ‘ବିଜୁ ସମତାକ୍ରାନ୍ତି ଦଳ’ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ । ମାତ୍ର ଏହି ଦଳ ଅଧିକ ଦିନ ତିଷ୍ଠି ପାରିନଥିଲା ।

ତେବେ ଯାହାବି ହେଉ ବିଜେପି ନେତାମାନଙ୍କ ଆମନ୍ତ୍ରଣରେ ଦାମ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିଲେ । ନୂଆଦିଲ୍ଲୀଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ମାର୍ଚ୍ଚ ୧୪ରେ ଦାମ ଯୋଗଦାନ କରିବା ସମୟରେ ସେଠାରେ ସେତେବେଳର ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିଥିଲେ । ତାଙ୍କୁ ଓଡ଼ିଶା ନିର୍ବାଚନରେ ପ୍ରଚାର କମିଟିର ଆବାହକ ଦାୟିତ୍ୱ ମଧ୍ୟ ବିଜେପି ପକ୍ଷରୁ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.