ନଈଧାର

ନଈଧାର

ଜୟଂତିକା

ତମ ପାଇଁ ନଈଟିଏ ସେ
ମୋ ପାଇଁ ଆବେଗର ଧାର,
ଯାହା ଏବେ ପଡ଼ିରହିଛି ଛାତି ମେଲି
ମରୁନଦୀର ଭାଗ୍ୟ ପରି ।

ସ୍ପଟିକ ପରି ସ୍ୱଚ୍ଛ ଦେହରେ ତା’ର
ଦେଖିଛି ଏ ମୁହଁ ଛାଇ,
ନିକଟରୁ ନିରେଖିଛି ବଢ଼ନ୍ତା ଅଙ୍ଗ ସୌଷ୍ଠବକୁ
ପାଣି ପଣତରେ କେବେ ପୋଛି ଦେଇଛି ଦେହମୁଣ୍ଡ
ତାଗିଦ୍ କରି ଶିଖେଇଛି ବହିଯିବାକୁ
ଝଡ଼ ଝଞ୍ଜା ସହି ।

ଏବେ ଏ ପାଦରେ ସାଲୁବାଲୁ ବାଲି ସବୁ
ଅସରନ୍ତି ସାନ୍ନିଧ୍ୟର ନିବିଡ଼ ନମୁନା,
ପ୍ରତି କଣିକା ଭିତରେ ଜକଜକ ଅତୀତର ରୁଦ୍ଧ ଇତିହାସ
ଆବୋରି ବସୁଛି ମୋର ସମଗ୍ର ସତ୍ତାକୁ
ସ୍ମୃତିଟିଏ ହୋଇ ।

ନା, ଏ ବାଲିବୋଳା ପାଦ ଆଜି
ସେମିତି ଅଧୁଆ ଥାଉ,
ଅନ୍ତରଙ୍ଗ ନିବିଡ଼ ମୁହୂର୍ତ୍ତ କିଛି ଜଡ଼ିରହୁ ସାଥିରେ,
ନିଃଶବ୍ଦରେ, ସଭିଙ୍କ ଆଢ଼ୁଆଳରେ ।

ଏବେ ମୁଁ ଖାଲି ପାଦରେ, ଦୁଆର ମୁହଁରେ
ଧୋଇ ନେବି ହାତପାଦ ସବୁଥର ପରି
ପୋଛି ନେବି ସମୟର ବାଲି ସବୁ ଦେହରୁ ମୁଣ୍ଡରୁ
ସଂଭ୍ରମରେ, ସନ୍ତର୍ପଣରେ,
ଏ ବୈଠକଖାନା, ଏ ପ୍ରାଚୁର୍ଯ୍ୟ, ଏ ଉତ୍କର୍ଷ ଜୀବନ
ଟିକିଏ ବି ସୁରାକ୍ ପାଇବ ନାଇଁ
ସେ ନିବିଡ଼ ଆତ୍ମୀୟତାର, ଆନ୍ତରିକତାର ।

ଆଜି ଏବେ ଏତେ ବର୍ଷ ପରେ
ବାଲି ରଚ ରଚ ଲଙ୍ଗଳା ପାଦ ବି
ଏତେ ନିବିଡ଼ ଏତେ ଅନ୍ତରଙ୍ଗ ହୋଇପାରେ!

ତମ ପାଇଁ ନଈଟିଏ ସେ ।

LEAVE A REPLY

Please enter your comment!
Please enter your name here