Latest Odisha News

BREAKING NEWS

ଦାମଙ୍କ ଅଭିଯୋଗ ହାସ୍ୟାସ୍ପଦ: ନବୀନ

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେଡ଼ିରୁ ବହିଷ୍କୃତ ହେବା ପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତାଙ୍କର ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ କହିଛନ୍ତି ଯେ, ଦାମୋଦର ରାଉତ ଦଳବିରୋଧି କାର୍ଯ୍ୟକଳାପରେ ସମ୍ପୃକ୍ତ ରହିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

“ ଦାମ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥାଆନ୍ତି । ତାଙ୍କର ଅଭିଯୋଗ ନିଷ୍ଫଳ ଏବଂ ହାସ୍ୟାସ୍ପଦ ।” ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ।

ଦାମ ଦଳ ବିରୋଧି କାର୍ଯ୍ୟ କରି ବିଜେଡ଼ିରୁ ବହିଷ୍କୃତ ହେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ପ୍ରଥମ ପ୍ରତିକ୍ରିୟା ।

ଦାମ ଦଳର କିଛି ବହିଷ୍କୃତ ନେତାଙ୍କ ସହିତ ମିଶି ନୂଆ ରାଜନୈତିକ ଦଳ ଗଠୁଥିବା ନେଇ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ, “ଏହା ସେମାନଙ୍କ କାମ, ଏହାଦ୍ୱାରା ରାଜ୍ୟ ରାଜନୀତିରେ କୌଣସି ପ୍ରଭାବ ପକାଇପାରିବ ନାହିଁ ।”

ନବୀନ ତାଙ୍କର ଏହି ତିନିଦିନିଆ ଦିଲ୍ଲୀ ଗସ୍ତ ସମୟରେ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଦଳ ବିରୋଧି କାର୍ଯ୍ୟକଳାପ ଅଭିଯୋଗ ଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ । ପାରାଦ୍ୱୀପ ବିଧାୟକ ଦାମଙ୍କ ବିରୋଧରେ ଏହିସବୁ ଦଳବିରୋଧି କାର୍ଯ୍ୟକଳାପର ଅଭିଯୋଗ ଦାମଙ୍କ ନିଜ ଜିଲ୍ଲାର କିଛି ବରିଷ୍ଠ ବିଜେଡ଼ି ନେତୃବୃନ୍ଦ ଆଣିଥିଲେ ।

ଦାମ କହିଥିଲେ ମୁଁ ବିଜେଡ଼ିରେ ମିଶିବାକୁ ନବୀନଙ୍କ ନିକଟକୁ ଯାଇନଥିଲି ବରଂ ମୋତେ ଦଳରେ ମିଶାଇବାକୁ ନବୀନ ମୋ ପାଖକୁ ଆସିଥିଲେ । ବହିଷ୍କାର ସମ୍ପର୍କରେ ପ୍ରତିକ୍ରିୟା ରଖି ଦାମୋଦର ରାଉତ କହିଥିଲେ “ନବୀନ ନିଜର ସ୍ଥିତି ରକ୍ଷା କରିବାକୁ ଦଳର ବିଚାରଧାରାକୁ ପରିବର୍ତ୍ତନ କରିଛନ୍ତି, ଯାହାକି ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ବିରୁଦ୍ଧ କାର୍ଯ୍ୟ ” ।

ବିଜୁ ପଟ୍ଟନାୟକଙ୍କ ନାମରେ କିଛି ନେତା ରାଜ୍ୟକୁ ଲୁଟି ଚାଲିଛନ୍ତି । ଏହା ନିଶ୍ଚିତ ରୂପେ ବିଜୁଙ୍କ ସ୍ୱର୍ଗତଃ ଅତ୍ମାକୁ ବ୍ୟଥିତ କରୁଥିବ । ତେଣୁ ତୁରନ୍ତ ନବୀନ ଗାଦିରୁ ହଟିଯିବା ଆବଶ୍ୟକ ।

ବୁଧବାର ସନ୍ଧ୍ୟାରେ ରାଜ୍ୟ କୃଷି ଓ ସମବାୟ ବିଭାଗରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ ଦାମ । ଏପରିକି ଦାମ ଅଭିଯୋଗ କରିଥିଲେ ଯେ, ଜଣେ ଅଫିସର ଏବଂ ତିନିଜଣ ବିଧାୟକ ଅରୁଣ ସାହୁ, ଦେବାଶୀଷ ସାମନ୍ତରାୟ ଓ ପ୍ରଣବ ପ୍ରକାଶ ଦାସ ଏବେ ବିଜେଡ଼ିକୁ ପରିଚାଳିତ କରୁଛନ୍ତି ।

Leave A Reply

Your email address will not be published.