Latest Odisha News

ଖଜୁରୀ ଗଛ: ଅନ୍ୟ ରାଜ୍ୟରେ ଗୁଡ଼, ଆମ ରାଜ୍ୟରେ ଝାଡୁ ଓ ତାଡ଼ି

ଭୁବନେଶ୍ୱର: ସାଧାରଣତଃ ଆମ ରାଜ୍ୟରେ ଏକ ଲୋକ କଥା ଅଛି ‘ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ । ଏହାର ଆକ୍ଷରିକ ଅର୍ଥ ହେଉଛି ‘ଯାହାର ସମସ୍ତ ଗୁଣ ଦୋଷଯୁକ୍ତ, ତା’ର କେଉଁ ଗୋଟିଏ ଗୁଣକୁ ଆମେ ତର୍ଜମା କରିବା’ । କିନ୍ତୁ ପ୍ରକୃତରେ ଖଜୁରୀ ଗଛର ଅନେକ ଭଲ ଗୁଣ ଅଛି । ଖଜୁରୀ ଗଛ ମାନବ ସମାଜକୁ ତାର ମୂଳରୁ ଅଗ ପର୍ଯ୍ୟନ୍ତ ବହୁ ଦରକାରୀ ଦ୍ରବ୍ୟ ଯୋଗାଇଥାଏ । ଖଜୁରୀ ଗଛରୁ ଆମେ ଫଳ, କାଠ ଓ ରସ ପାଇଥାଉ । ଖଜୁରୀ ଗଛର ରସ ଅତ୍ୟନ୍ତ ଦରକାରୀ । କିଛି ଲୋକ ଖଗୁରୀ ଗଛରୁ ରସ ବାହାର କରି ତାଡ଼ି ଭାବେ ବ୍ୟବହାର କରିଥାନ୍ତି । ବିଶେଷ କରି ଆମ ରାଜ୍ୟର ବୈଦ୍ଧ, ବରଗଡ଼, ବଲାଙ୍ଗୀର ଓ ମୟୁରଭଞ୍ଜ ଆଦି ଶିଳ୍ପ ବିହିନ ଜିଲ୍ଲାରେ ରହିଛି ଭରପୁର ଖଗୁରୀ ଗଛ ।

ଶୀତ ଦିନରେ ଖଜୁରୀ ଗଛର ଆଗ ନିକଟରେ କାଟିଲେ ନିରନ୍ତର ରସ ବାହାରେ । ଏହି ରସକୁ ଏକ ମାଟି ହାଣ୍ଡିରେ ସଂଗ୍ରହ କରି ପାନୀୟ ଭାବରେ ବ୍ୟବହାର କରାଯାଏ । ଖଜୁରୀ ଗଛରୁ ରାତିରେ ଝରୁଥିବା ରସ ସ୍ୱାଦରେ ମିଠା ହୋଇଥିବା ବେଳେ, ଦିନବେଳା ଝରୁଥିବା ରସରେ ମାଦକତା ରହିଥାଏ । ବୈଦ୍ଧ, ବରଗଡ଼, ବଲାଙ୍ଗୀର ଓ ମୟୁରଭଞ୍ଜ ଜିଲ୍ଲାରେ ରାତି ଓ ଦିନର ରସକୁ ମିଶାଇ ତାଡ଼ି ଭାବରେ ବ୍ୟବହାର କରାଯାଏ । ସ୍ଥାନ ବିଶେଷରେ ଅଧିକ ନିଶା ହେବା ପାଇଁ ଏଥିରେ ମାଦକ ଦ୍ରବ୍ୟ ମିଶା ଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ ।

ବିଶେଷ କରି ମୟୁରଭଞ୍ଜ ଜିଲ୍ଲାରେ ଖଜୁରୀ ପତ୍ରକୁ ବ୍ୟବହାର କରି ସେଥିରୁ ଝାଡୁ ଓ ମଶିଣା ପ୍ରସ୍ତୁତ କରାଯାଏ । ବୈଦ୍ଧ, ବଲାଙ୍ଗୀର, ବରଗଡ଼ରେ ଖଜୁରୀ ସରକୁ ନିଶା ଦ୍ରବ୍ୟ ଭାବରେ ବ୍ୟବହାର କରାଯାଏ ।

ଆମ ରାଜ୍ୟ ଅପେକ୍ଷା ଅନ୍ୟ ରାଜ୍ୟରେ ଏହି ଖଜୁରୀ ରସ ଅମୃତ ସମାନ । ରାତିର ଶୁଦ୍ଧ ଖଜୁରୀ ରସକୁ ସ୍ୱାସ୍ଥ୍ୟକର ପାନୀୟ ଭାବେ ଦକ୍ଷିଣ ଭାରତରେ ବ୍ୟବହାର କରାଯାଇଥାଏ । ଖଜୁରୀ ରସ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା, ରକ୍ତଚାପ, ହୃଦ ସ୍ପନ୍ଦନ ସନ୍ତୁଳିତ ରଖୁଥିବା ସେଠାକାର ଲୋକେ ବିଶ୍ୱାସ କରନ୍ତି । ଏହି ରସ କର୍କଟ ରୋଗ ନିରୋଧକ ଭାବେ ମଧ୍ୟ ବ୍ୟବହାର କରାଯାଏ ।

ସେହିପରି ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ରାତିର ରସକୁ ସଂଗ୍ରହ କରି ପ୍ରକ୍ରିୟାକରଣ କରି ଗୁଡ଼ ପ୍ରସ୍ତୁତ କରାଯାଇଥାଏ । ଏହି ଗୁଡ଼କୁ ଏଠାରେ ନଲେନ୍ ଗୁଡ଼ ବୋଲି କୁହାଯାଏ । ନଲେନ୍ ଗୁଡ଼ କିଲୋ ପ୍ରତି ପାଞ୍ଚ ଶହ ଟଙ୍କାରୁ ଅଧିକ ଦରରେ ଏଠାରେ ବିକ୍ରି ହୁଏ । ବର୍ତ୍ତମାନ ଅନଲାଇନ୍ ବ୍ୟବସାୟରେ ଆମାଜନ ଓ ଫ୍ଲିପକାର୍ଟରେ ଏହା ସହଜରେ ମିଳିଥାଏ । ଏହି ଗୁଡ଼ରେ ତିଆରି ରୋସଗୋଲା ସ୍ୱାଦ ନିଆରା ।

ଖଜୁରୀ ରସରୁ ତିଆରି ତାଡ଼ି ଓ ଗୁଡ଼ ପ୍ରସ୍ତୁତ କରି ଜୀବନଯାପ କରୁଥିବା ଲୋକଙ୍କ ଜୀବନକୁ ନେଇ ଅଶୀ ଦଶକରେ ସୌଦାଗର ନାମକ ଏକ ହିନ୍ଦି ଚଳଚିତ୍ର ନିର୍ମାଣ କରାଯାଇଥିଲା । ଏହି ଚଳଚିତ୍ରର ମୁଖ୍ୟ ଅମିତାଭ ବଚ୍ଚନ ଜଣେ ଖଜୁରୀ ରସ ସଂଗ୍ରହକାରୀ ଭାବେ ଏଥିରେ ନଜର ଆସିଥିଲେ ।
ତେବେ ବୈଦ୍ଧ, ବଲାଙ୍ଗୀର, ବରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାର ଲୋକଙ୍କୁ ଖଜୁରୀ ରସକୁ ଗୁଡ଼ ତିଆରି କରିବା କୌଶଳ ଜାଣି ନଥିବାରୁ ଏହାକୁ ତାଡ଼ି ଭାବରେ ଅଳ୍ପ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏମାନଙ୍କୁ ସରକାରଙ୍କ ପକ୍ଷରୁ ଗୁଡ଼ ତିଆରି ପଦ୍ଧତି ଶିଖାଇଲେ ଏହି ଜିଲ୍ଲାରୁ ମୂଲ୍ୟବାନ ଖଜୁରୀ ଗୁଡ଼ ପ୍ରସ୍ତୁତ ହୋଇ ପାରିବ ଏଥିରେ କୌଣସି ସନ୍ଦେହ ନାହିଁ ।

Comments are closed, but trackbacks and pingbacks are open.