Latest Odisha News

ସୁପ୍ରିମକୋର୍ଟଙ୍କ ବଡ ରାୟ: ବାପାଙ୍କ ସମ୍ପତ୍ତିରେ ଝିଅର ରହିବ ସମାନ ଅଧିକାର

ନୂଆଦିଲ୍ଲୀ: ଝିଅଙ୍କୁ ମିଳିବ ବାପାଙ୍କ ସମ୍ପତ୍ତିର ସମାନ ଅଧିକାର । ନୂଆ ଆଇନ୍ ପ୍ରଣୟନ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିଲେ ବି ଝିଅଙ୍କୁ ସମାନ ଭାଗ ମିଳିବ । ଏନେଇ ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।

କୋର୍ଟ କହିଛନ୍ତି, ବାପାଙ୍କ ପୌତୃକ ସମ୍ପତ୍ତି ଉପରେ ଉଭୟ ପୁଅ ଓ ଝିଅର ସମାନ ଅଧିକାର ରହିଛି । ଝିଅଟିଏ ଜନ୍ମ ହେବା ପରେ ପୌତୃକ ସମ୍ପତ୍ତିର ଅଧା ମାଲିକାନା ହାସଲ କରିନିଏ ବୋଲି କୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଆଇନ୍ ୨୦୦୫ ଲାଗୁ ହେବା ପୂର୍ବରୁ ବି ଯଦି ଜଣେ ବାପାଙ୍କ ମୃତ୍ୟୁ ଘଟିଥିବ ତା’ ହେଲେ ମଧ୍ୟ ଝିଅମାନେ ବାପା ମା’ଙ୍କ ସମ୍ପତ୍ତିର ସମାନ ଅଧିକାର ଦାବି କରିପାରିବେ ।

୨୦୦୫ର ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଆଇନରେ ଏହି ବ୍ୟବସ୍ଥା ଥିଲେ ମଧ୍ୟ ତାହା ପିଛିଲା ଭାବେ ଲାଗୁ ହେବ କି ନା, ସେ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ନଥିଲା । ଏହାକୁ ଆଜି ସୁପ୍ରିମକୋର୍ଟ ଦୂର କରି କହିଛନ୍ତି ଯେ ଏହା ୨୦୦୫ ପୂର୍ବରୁ ମଧ୍ୟ ମଧ୍ୟ ଲାଗୁ ହେବ । ଅର୍ଥାତ ୨୦୦୫ ପୂର୍ବରୁ ଯଦି ଦାବିଦାରଙ୍କ ମୃତ୍ୟୁ ହୋଇଛି, ସେ ମଧ୍ୟ ସମାନ ଅଧିକାର ପାଇବାକୁ ହକଦାର ।

ଏହି ରାୟ ଶୁଣାଇ ଖଣ୍ଡପୀଠ କହିଛନ୍ତି ଯେ ସାରା ଜୀବନ ପାଇଁ ପିତାଙ୍କ ଆଗରେ ପୁଅ ଓ ଝିଅ ସମାନ ସ୍ନେହ ପାଇଥାନ୍ତି । ସେହିପରି ସେମାନେ ସଂପତ୍ତିର ମଧ୍ୟ ସମାନ ଭାଗ ପାଇବା ଉଚିତ । ପିତା ମୃତ୍ୟୁବରଣ କରିଥିଲେ ମଧ୍ୟ ଝିଅ ନିଜ ଅଧିକାର ପାଇବ ।

Leave A Reply

Your email address will not be published.