Latest Odisha News

BREAKING NEWS

UAE ଓପେକ୍ ଛାଡ଼ିଲା, ପାକିସ୍ତାନକୁ ଝଟକା ଲାଗିଲା

ନୂଆଦିଲ୍ଲୀ: ଦୀର୍ଘ ୬୦ ବର୍ଷ ପରେ ତେଲ ରପ୍ତାନିକାରୀ ଦେଶମାନଙ୍କ ସଂଗଠନ ‘ଓପେକ୍’ (OPEC) ରୁ ନିଜକୁ ଅଲଗା କରିଛି ସଂଯୁକ୍ତ ଆରବ ଏମିରେଟ୍ ବା UAE। ଏହି ଗୋଟିଏ ନିଷ୍ପତ୍ତି ଏବେ ସାରା ଦୁନିଆରେ ହଇଚଇ ସୃଷ୍ଟି କରିଛି। ବିଶେଷ କରି ପାକିସ୍ତାନକୁ ଏହା ଏକ ଶକ୍ତ ଝଟକା ଦେଇଥିବା ବେଳେ ଭାରତ ପାଇଁ କିନ୍ତୁ ଏହା ଖୁସି ଖବର ଆଣିପାରେ। କାହିଁକି UAE ଏଭଳି ଚରମ ନିଷ୍ପତ୍ତି ନେଲା ? କ’ଣ ରହିଛି ଏହା ପଛର ଭାରତ-ପାକ୍ କନେକ୍ସନ୍ ? ଆସନ୍ତୁ ଜାଣିବା ।

୧୯୬୭ ମସିହାରୁ ଓପେକ୍‌ର ଅଭିନ୍ନ ଅଙ୍ଗ ଥିବା UAE ଏବେ ସଂଗଠନରୁ ବାହାରି ଯାଇଛି। କୁହାଯାଉଛି କି, ସାଉଦି ଆରବ ସହ ବଢୁଥିବା ତିକ୍ତତା ଏବଂ ତେଲ ଉତ୍ପାଦନ କୋଟାକୁ ନେଇ ଚାଲିଥିବା ବିବାଦ ଏହି ନିଷ୍ପତ୍ତିର ମୁଖ୍ୟ କାରଣ। UAE ନିଜର ତେଲ ଉତ୍ପାଦନ କ୍ଷମତା ବଢ଼ାଇବାକୁ ଚାହୁଁଥିବା ବେଳେ ସାଉଦି ଆରବ ଏଥିରେ ପ୍ରତିବନ୍ଧକ ସାଜୁଥିଲା। ଏବେ ଓପେକ୍‌ରୁ ବାହାରିବା ପରେ UAE ୨୦୨୭ ସୁଦ୍ଧା ଦୈନିକ ୫ ମିଲିୟନ ବାରେଲ ତେଲ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି।

ଏହି ନିଷ୍ପତ୍ତି ପଛରେ ‘ପାକିସ୍ତାନ ଫ୍ୟାକ୍ଟର’ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଘନିଷ୍ଠତାକୁ UAE ପସନ୍ଦ କରୁନାହିଁ। ନିକଟରେ ପାକିସ୍ତାନରୁ ନିଜର ୩.୫ ବିଲିୟନ ଡଲାର ଫେରାଇ ନେଇ ପୂର୍ବରୁ ହିଁ ଶକ୍ତ ଝଟକା ଦେଇଥିଲା UAE। ଏବେ ଓପେକ୍ ଛାଡ଼ି ସାଉଦି-ପାକ୍ ମେଣ୍ଟକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ UAE ଯୋଜନା କରିଥିବା କୁହାଯାଉଛି।

ତେବେ ଏହି ସଂଘର୍ଷ ଭିତରେ ଭାରତ ପାଇଁ ରହିଛି ଫାଇଦା। UAE ତେଲ ଉତ୍ପାଦନ ବଢ଼ାଇଲେ ବିଶ୍ୱ ବଜାରରେ ତେଲ ଦର କମିପାରେ। ଭାରତ ପାଇଁ ତେଲ ଆମଦାନୀ ଶସ୍ତା ହେବ, ଯାହା ଦ୍ୱାରା ଦେଶରେ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ କମିବ। ସାଉଦି ଆରବ ଏବଂ UAE ଉଭୟ ଏବେ ଭାରତୀୟ ବଜାରକୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ପ୍ରତିଯୋଗିତା କରିପାରନ୍ତି।

ମୋଟାମୋଟି ଭାବେ କହିବାକୁ ଗଲେ, UAE ର ଏହି ବଡ଼ ଗେମ୍ ପ୍ଲାନ୍ ବିଶ୍ୱ ତେଲ ବଜାରର ସମୀକରଣ ବଦଳାଇ ଦେଇଛି। ପାକିସ୍ତାନ ପାଇଁ ଏହା ଏକ ବଡ଼ ଆର୍ଥିକ ଏବଂ କୂଟନୈତିକ ବିଫଳତା ହୋଇଥିବା ବେଳେ ଭାରତୀୟ ଅର୍ଥନୀତି ପାଇଁ ଏହା ଏକ ଶୁଭ ସଙ୍କେତ।

Leave A Reply

Your email address will not be published.