ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ଅନେକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରାୟ ୧,୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୋଟ ୧୮୭ଟି ପ୍ରକଳ୍ପର ଲୋକାର୍ପଣ, ଭିତ୍ତିପ୍ରସ୍ତର ସ୍ଥାପନ ଓ ନୂଆ ଘୋଷଣା କରିଛନ୍ତି। ଜିଲ୍ଲାବାସୀଙ୍କୁ ସ୍ମାର୍ଟ ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଯୋଗାଇଦେବା ପାଇଁ ୨୫ଟି ଅତ୍ୟାଧୁନିକ ଇ-ବସ ସହିତ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଆମ ବସ’ ଡିପୋର ଲୋକାର୍ପଣ କରାଯାଇଛି।
ସୂଚନାଯୋଗ୍ୟ ଯେ, ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ପ୍ରାୟ ୭୦୫ କୋଟି ଟଙ୍କାର ୬୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ, ପ୍ରାୟ ୨୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୪ଟି ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହା ବ୍ୟତୀତ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଉ ୧୦୧ଟି ନୂତନ ପ୍ରକଳ୍ପ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି, ଯାହା କେନ୍ଦୁଝରର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ।

ଏହି ନୂତନ ଇ-ବସ ରେ ମାତ୍ର ୫ ଟଙ୍କାରୁ ବସ ଭଡା ଆରମ୍ଭ ହେଉଥିବାରୁ ଏହା ଦୈନନ୍ଦିନ ଯାତ୍ରା କରୁଥିବା ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବେଶ୍ ସହାୟକ ହେବ। ସମସ୍ତ ବସ ସମ୍ପୂର୍ଣ୍ଣ ଭାବେ ଏସି (AC) ହୋଇଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଏଥିରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ପ୍ରତିଟି ବସରେ ସିସିଟିଭି କ୍ୟାମେରା, ପ୍ୟାନିକ୍ ବଟନ ଏବଂ ଜିପିଏସ (GPS) ବ୍ୟବସ୍ଥା ରହିଛି, ଯାହାଦ୍ୱାରା ଯାତ୍ରୀମାନେ ବିଶେଷ କରି ମହିଳାମାନେ ନିର୍ଭୟରେ ଯାତ୍ରା କରିପାରିବେ।
କେବଳ ପରିବହନ ନୁହେଁ ବରଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ଏହି ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୫୦ ଜଣ ନିଯୁକ୍ତି ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୦ ଜଣ ମହିଳା ଗାଇଡ୍ ଏବଂ ୨ ଜଣ ମହିଳା ଡ୍ରାଇଭର ସାମିଲ ଅଛନ୍ତି। ମହିଳାମାନଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବା ରାଜ୍ୟ ସରକାରଙ୍କ ‘ମହିଳା ଶକ୍ତି’ ଅଭିଯାନକୁ ଆହୁରି ସୁଦୃଢ଼ କରିଛି।
କେନ୍ଦୁଝରବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ରାଜ୍ୟକୁ ଅନେକ କିଛି ଦେଇଛି। ଜିଲ୍ଲାରେ ଏକ ମେଗାଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ଏହାର ଶିଳାନ୍ୟାସ କରାଯାଇ କେନ୍ଦୁଝରକୁ ଦେଶର ଏକ ଶ୍ରେଷ୍ଠ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ଗଢି ତୋଳାଯିବ। ଏହି ବିଶାଳ ପଦକ୍ଷେପ ଜିଲ୍ଲାର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସାଧାରଣ ଜନତାଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପର ଅନ୍ୟତମ ବିଶେଷତ୍ୱ ହେଉଛି ନାରୀ ଶକ୍ତିର ସହଭାଗିତା। ଏହି ବସ୍ ସେବାରେ ମହିଳାମାନେ ସାରଥୀ (ଡ୍ରାଇଭର) ଏବଂ ଗାଇଡ୍ ଭାବେ ନିଯୁକ୍ତି ପାଇ ନିଜର ଦକ୍ଷତା ପ୍ରତିପାଦନ କରିବେ। ମାତ୍ର ୫ ଟଙ୍କାରୁ ଆରମ୍ଭ ହେଉଥିବା ଟିକେଟ ମୂଲ୍ୟ ଏବଂ ଡିଜିଟାଲ ପେମେଣ୍ଟ ସୁବିଧା ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କ ପାଇଁ ବେଶ ସହାୟକ ହେବ। ପରିବେଶ ଦୃଷ୍ଟିକୋଣରୁ ଏହି ଇ-ବସ୍ ସେବା ବାର୍ଷିକ ପ୍ରାୟ ୩୩୦ ରୁ ୩୯୦ ଟନ୍ କାର୍ବନ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗାମୀ ଦିନରେ ଏହି ସେବାକୁ ରାଜ୍ୟର ଅନ୍ୟ ସହରଗୁଡ଼ିକୁ ସମ୍ପ୍ରସାରିତ କରାଯିବ ଏବଂ ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୨୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ପଦକ୍ଷେପ ଓଡ଼ିଶାକୁ “ଗ୍ରୀନ୍ ମୋବିଲିଟି” କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା କରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ୬ ଜଣ ହିତାଧିକାରୀଙ୍କୁ ମୋଟ ୫,୭୫,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଏଥିରେ କେନ୍ଦୁଝରର ହେମନ୍ତ ମହାନ୍ତଙ୍କୁ ବିବାହ ସହାୟତା ବାବଦରେ ୫୦,୦୦୦ ଟଙ୍କା ଏବଂ ଲବଙ୍ଗ ମହାନ୍ତଙ୍କୁ ମୃତ୍ୟୁକାଳୀନ ସହାୟତା ଭାବେ ୩,୦୫,୦୦୦ ଟଙ୍କା ହସ୍ତାନ୍ତର କରାଯାଇଛି। ସେହିପରି ‘ଉଦ୍ୟମୀ’ ଯୋଜନାରେ ଚମ୍ପୁଆର ମା’ ମଙ୍ଗଳା ଏସଏଚଜି, ଯୋଡ଼ାର ବନିତା ନାଏକ ଏବଂ ଝୁମ୍ପୁରାର କେଦାର ଚନ୍ଦ୍ର ନାଏକଙ୍କୁ ୬୦,୦୦୦ ଟଙ୍କା ଲେଖାଏଁ ଏବଂ ନୀଲମ ମହାକୁଡ଼ଙ୍କୁ ୪୦,୦୦୦ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଛି।
ସମାରୋହରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡକ୍ଟର ଫକୀର ମୋହନ ନାଏକ, ସାଂସଦ ଅନନ୍ତ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ ଏବଂ ଜିଲ୍ଲାପାଳ ଵିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।