ଭୁବନେଶ୍ବର: ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ଼ ମାରିବା ଘଟଣା । ଘଟଣାକୁ ନେଇ ପୋଲିସ୍ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମାଲିକ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ସର୍ବେଶ୍ୱରଙ୍କ ନିଶା ଛଡ଼ାଇବା ପାଇଁ ପରିବାର ଲୋକ ଗତ ୨୭ ତାରିଖରେ ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ମାତ୍ର ଦୁଇ ଦିନ ପରେ ଅର୍ଥାତ ଗତ ୨୯ ତାରିଖ ରାତି ପ୍ରାୟ ୨ଟା ସମୟରେ କୌଣସି କାରଣକୁ ନେଇ ସର୍ବେଶ୍ବରଙ୍କୁ ନିଶା ନିବାରଣ କେନ୍ଦ୍ର ମାଲିକ ଅନିରୁଦ୍ଧ, ଅଙ୍କିତ ଓ ଅନ୍ତର୍ଯ୍ୟାମୀ ପାଇପ୍ରେ ପିଟି ପିଟି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ନିଶା ନିବାରଣ କେନ୍ଦ୍ରର ମାଲିକ ଅନିରୁଦ୍ଧ ରାୟ, ଅଙ୍କିତ ରାଉତ ଏବଂ ଅନ୍ତର୍ଯ୍ୟାମୀ ମିଶ୍ର । ସେପଟେ ଆଇସିୟୁରେ ଥିବା ସର୍ବେଶ୍ବର ବେହେରାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଘଟଣାର ୩ଦିନ ବିତିଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ।
ଏନେଇ ପୁଲିସ ସାଇକୃପା ନିଶା ନିବାରରଣ କେନ୍ଦ୍ରର ବୈଧତା ନେଇ ସନ୍ଦେହ କରିଛି। କେନ୍ଦ୍ର ପରିଚାଳନା ପାଇଁ ସମସ୍ତ ନିୟମ ପାଳନ କରାଯାଇଥିଲା କି ନାହିଁ । କେଉଁଠାରୁ ଅନୁମତି ନେଇଥିଲେ? କେବେ ଅନୁମତି ନିଆଯାଇଥିଲା? ଅନ୍ତେବାସୀଙ୍କୁ ଠିକ୍ ସମୟରେ ଚିକିତ୍ସା ସହ ଔଷଧ ଦିଆଯାଉଥିଲା କି ନାହିଁ? ସୁରକ୍ଷା ଦୃଷ୍ଟିରୁ ୨୪ ଘଣ୍ଟା ସିସିଟିଭି ଆକ୍ଟିଭ୍ ରହିବା ବେଳେ ସିସିଟିଭି କ୍ୟାମେରାକୁ ବନ୍ଦ ରଖାଯାଇଥିଲା। ଏ ସମସ୍ତ ଦିଗକୁ ନେଇ ପୁଲିସ ଟିମ୍ ଯାଞ୍ଚ କରୁଛି। ଯଦି କେନ୍ଦ୍ରରେ ନିୟମ ଉଲ୍ଲଂଘନ ହୋଇଥାଏ ତେବେ ଦରକାର ପଡ଼ିଲେ କେନ୍ଦ୍ରକୁ ବନ୍ଦ କରାଯିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
Comments are closed.