ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନବାକ୍ଷରୀକୁ ଆଶ୍ରା କରି
ଭାଷାରେ ଭାବରାଶି ଭରି
ଲେଖେଁ ମୁଁ ଅଂତର୍ମନ କଥା
ଭାଷାକୁ ଲୋଡ଼ା ନିରାପତ୍ତା
ଅଗଦ୍ୟ ଲେଖିବାର ପାଇଁ
କବିଂକ ମନ ବଳୁନାହିଁ
ଭାଷାର ପଦ୍ୟ ପରଂପରା
ଏବେ ହେଲାଣି ଦରମରା
ଅନେକ ସାନ, ବଡ଼ ଧାଡ଼ି
ଏକାଠି ପାରିଲେ ସଜାଡ଼ି
ଯେ କେହି ବୋଲାଉଛି କବି
ଭାଷା ଆପେ ଯାଉଛି ଦବି
ସ୍ବୀକାରୋକ୍ତିକୁ ଅଭିବ୍ୟକ୍ତି
ନାମିତ କରେ ଯଦି ବ୍ୟକ୍ତି
କବିତା ବକ୍ତବ୍ୟ-ପ୍ରଧାନ
ହୋଇ କମାଏ ଭାଷା ମାନ
ଆମର ଭାଷାର ଲାଳିତ୍ୟ
କିପରି ହେଲା ଅପହୃତ
ଖୋଜିଲେ ମିଳୁନି କାରଣ
ସାହିତ୍ୟ ହେଉଅଛି ଗୌଣ
କରି ଅଳପ ପରିଶ୍ରମ
ଯେଉଁଠି ମିଳେ ଯଶ, ନାମ
ସେହି ଭାଷାର କବିଗଣ
ଦିଅଂତି ବହୁତ ଭାଷଣ
ଭାଷା ଓ ସମାଜ ସହିତ
ଯିଏ ବି ହୁଏନି ସଂପୃକ୍ତ
ତିକ୍ତ, ମଧୁର ଅନୁଭବ
ପକାଇପାରେନି ପ୍ରଭାବ
କବି ହୋଇଲେ ଲୋକଛଡ଼ା
କବିତା ପଡ଼େନାହିଁ ଲୋଡ଼ା
ଅନ୍ୟାନ୍ୟ ପ୍ରସଂଗରେ ମାତି
ଦୁର୍ବଳ ହୁଏ ବ୍ୟକ୍ତି, ଜାତି
ପାଂଚ ଶ’ ବର୍ଷ କାଳ ଧରି
ଯେଉଁ ବହିଟି ଉପକାରୀ
ତା ଏବେ ହେଲେ ଉପେକ୍ଷିତ
ସ୍ବଭାଷା ହେବନି ଉନ୍ନତ
ଆଧୁନିକତା କ୍ଷଣସ୍ଥାୟୀ
ହେଲେଁ ହେଁ ମନ ବୁଝେନାହିଁ
ସ୍ବଭାଷା ପଡ଼ି ତା’ର ପାଲେ
ଯେନକେନ ପ୍ରକାରେ ଚଳେ
ଯା ନୁହେ ଆଦୌ ଉପାଦେୟ
ତାହା ହେଉଛି ଜନପ୍ରିୟ
ଲୋକଂକ ଏହି ମନୋଭାବ
ବୁଝେନି ଭାଷାର ଗୌରବ