ନୂଆଦିଲ୍ଲୀ: ବନ୍ଧୁ ଭାରତ ଉପରେ ୨୫ପ୍ରତିଶତ ଟାରିଫ୍ ସାଙ୍ଗକୁ ଋଷଠାରୁ ତେଲ ଓ ହତିଆର କିଣିବା ପାଇଁ ଜରିମାନା ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ତେବେ ପାକିସ୍ତାନ ସହ ତେଲ ଭଣ୍ଡାର ନେଇ କରିଛନ୍ତି ଗୁରୁତ୍ବପୂର୍ଣ୍ଣ ଡିଲ୍ । ଖାଲି ସେତିକି ନୁହେଁ, ଏମିତି ଦିନ ଆସିବ ଭାରତ ପାକିସ୍ତାନଠାରୁ ତେଲ କିଣିବ ବୋଲି କହି ଛିଗୁଲେଇଛନ୍ତି ଟ୍ରମ୍ପ । ପୂର୍ବ ବାଇଡେନ୍ ପ୍ରଶାସନ ବେଳେ ଆମେରିକା ଦକ୍ଷିଣ ଏସିଆରେ ଭାରତକୁ ପ୍ରମୁଖ ସହଯୋଗୀ ଭାବେ ପ୍ରାଥମିକତା ଦେଉଥିଲା । ଫଳରେ ଗତ କିଛି ବର୍ଷ ହେଲା ପାକିସ୍ତାନ ସହ ଆମେରିକାର ସଂପର୍କ ଦୁର୍ବଳ ହୋଇଥିଲା । ହେଲେ ଏବେ ଟ୍ରମ୍ପ ଏଥିରେ ପରିବର୍ତ୍ତନ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଟ୍ରମ୍ପଙ୍କ ପରିବର୍ତ୍ତନ ପଛର କାରଣ କ’ଣ?
ଚୀନର ପ୍ରଭାବ କମ୍ କରିବାକୁ ରଣନୀତି !
ପାକିସ୍ତାନ ଚୀନର ପ୍ରମୁଖ ସହଯୋଗୀ । ବିଶେଷ କରି ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର ଦ୍ବାରା ଉଭୟ ଆର୍ଥିକ ଓ ସାମରିକ ସହଯୋଗ ପାଉଛି ପାକିସ୍ତାନ । ତେବେ ତେଲ ଡିଲ୍ ମାଧ୍ୟମରେ ପାକିସ୍ତାନ ସହ ନିଜ ସଂପର୍କ ପୁଣି ମଜବୁତ କରିବାକୁ ଉଦ୍ୟମ କରିଛି ଆମେରିକା । ଏହାଦ୍ବାରା ଚୀନର ଆଞ୍ଚଳିକ ପ୍ରଭାବକୁ ଆମେରିକା ନିୟନ୍ତ୍ରଣ କରିବାକୁ ଚାହୁଁଥିବା କୁହାଯାଉଛି । କେବଳ ପାକିସ୍ତାନ ନୁହେଁ ଟ୍ରମ୍ପ ମିଆଁମାର ଉପରେ ବି ମେହେରବାନ ନଜର ଆସୁଛନ୍ତି । ମିଆଁମାରକୁ ନେଇ ଆମେରିକା ନୀତିରେ ପରିବର୍ତ୍ତନ କରିପାରନ୍ତି ଟ୍ରମ୍ପ । ମିଆଁମାର ପାଖରେ ବିଶ୍ବର ଦୁର୍ଲଭ ଧାତୁର ସବୁଠୁ ସମୃଦ୍ଧ ଭଣ୍ଡାର ଥିବା ବେଳେ ଦେଶର ବିଦ୍ରୋହୀ ଗୋଷ୍ଠୀ ସହ ବୁଝାମଣା କରିପାରେ ଆମେରିକା ।
ଦୁର୍ଲଭ ଧାତୁ ଉପରେ ନଜର
ମିଆଁମାରର କାଚିନ ଅଞ୍ଚଳରେ ରହିଛି ଦୁର୍ଲଭ ଧାତୁର ସମୃଦ୍ଧ ଭଣ୍ଡାର । ଏହା ଉପରେ ଆମେରିକାର ନଜର ଥିବା କୁହାଯାଉଛି । ଲକ୍ଷ୍ୟ ଚୀନ୍ ଉପରେ ନିର୍ଭରଶୀଳତା କମ୍ କରିବା । ବିଶ୍ବରେ ଦୁର୍ଲଭ ଧାତୁ ଯୋଗାଣର ପ୍ରାୟ ୯୦ପ୍ରତିଶତ ଚୀନ୍ ନିୟନ୍ତ୍ରଣରେ ରହିଛି । ମିଆଁମାରର କାଚିନ ଅଞ୍ଚଳ ବିଦ୍ରୋହୀ କାଚିନ ଇଣ୍ଡିପେଣ୍ଡେନ୍ସ ଆର୍ମିର ନିୟନ୍ତ୍ରଣରେ ରହିଛି । ରେୟର ଅର୍ଥ ମାଟେରିଆଲ୍ ବା ଦୁର୍ଲଭ ଧାତୁର ବ୍ୟବହାର ଫାଇଟର ଜେଟ୍ ଭଳି ହାଇପରଫର୍ମାନ୍ସ ପ୍ରତିରକ୍ଷା ଟେକ୍ନୋଲୋଜି ପାଇଁ ଗୁରୁତ୍ବପୂର୍ଣ୍ଣ । ଆମେରିକା ଘରୋଇ ଭାବେ ସୀମିତ ମାତ୍ରାରେ ଏହାର ଉତ୍ପାଦନ କରେ ଓ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ରହେ। ତେବେ ଏହି କ୍ଷେତ୍ରରେ ଚୀନର ଦବଦବା ରହିଛି । ତେଣୁ ମିଆଁମାରର ସାମରିକ ସରକାରକୁ ଏଡାଇ ବିଦ୍ରୋହୀ କେଆଇଏ ସହ ସିଧାସଳଖ ସଂପର୍କ କରିପାରେ ବୋଲି କୁହାଯାଉଛି ।
ଆମେରିକା ନୀତିରେ ପରିବର୍ତ୍ତନ ସଙ୍କେତ
ଦୁର୍ଲଭ ଧାତୁ ଯୋଗାଣରେ ସାରା ବିଶ୍ବରରେ ନିଜ ପ୍ରଭୁତା ସ୍ଥାପନ କରିବାକୁ କଞ୍ଚାମାଲ ପାଇଁ ମିଆଁମାର ଉପରେ ନିର୍ଭରଶୀଳ ଚୀନ୍ । ତେବେ ଡ୍ରାଗନର ଏକଚାଟିଆ କାରବାରର ମୁକାବିଲା କରିବାକୁ ଆମେରିକା ମିଶନ୍ ମିଆଁମାରରେ ଆଗେଇଛି । ମିଆଁମାରର ସାମରିକ ସରକାର ସହ ସଂପୃକ୍ତ ୪ଜଣ ବ୍ୟକ୍ତିବିଶେଷ ଓ ୩ଟି କମ୍ପାନୀ ଉପରେ ପ୍ରତିବନ୍ଧକ ହଟାଇଛି । ଏଥିରୁ ମିଆଁମାରକୁ ନେଇ ଆମେରିକା ନୀତିରେ ପରିବର୍ତ୍ତନ ନେଇ ସଙ୍କେତ ମିଳୁଛି । କେଆଇଏ ଜରିଆରେ ଆମେରିକା ସିଧାସଳଖ ଦୁର୍ଲଭ ଧାତୁ ପାଖରେ ପହଞ୍ଚିବା ନେଇ ପ୍ରସ୍ତାବ ଥିବା ଅଷ୍ଟ୍ରେଲିଆର ଅର୍ଥନୈତିକ ବିଶେଷଜ୍ଞ ତଥା ଅଙ୍ଗ ସାନ୍ ସୁ କିଙ୍କ ପୂର୍ବତନ ଉପଦେଷ୍ଟା ସିନ ଟର୍ନେଲ୍ କହିଛନ୍ତି । ଏନେଇ କୌଣସି ନିଷ୍ପତ୍ତି ହୋଇନଥିଲେ ମଧ୍ୟ ପରୋକ୍ଷ ଆଲୋଚନା ଚାଲିଥିବା କୁହାଯାଉଛି । ଏହାସହ ମିଆଁମାର ଉପରେ ପ୍ରସ୍ତାବିତ ୪୦ପ୍ରତିଶତ ଟାରିଫ କୋହଳ କରିବା, ବ୍ୟାପକ ପ୍ରତିବନ୍ଧକ ପ୍ରତ୍ୟାହାର କରିବା, ଦୁର୍ଲଭ ଧାତୁ କୁଟନୀତି ଉପରେ କାମ କରିବା ପାଇଁ ଜଣେ ସ୍ବତନ୍ତ୍ର ଦୂତ ନିଯୁକ୍ତି ନେଇ ଟ୍ରମ୍ପ ପ୍ରଶାସନ ବିଚାର କରୁଛି ।
ପାକିସ୍ତାନ ସହ ତେଲ ଭଣ୍ଡାର ଡିଲ୍ ହେଉ କି ମିଆଁମାରର ସାମରିକ ଶାସନ ପ୍ରତି ନରମ ମନୋବୃତ୍ତି । ଦକ୍ଷିଣ ଏସିଆରେ ଧୀରେ ଧୀରେ ଚୀନର ପ୍ରଭାବ ବଢିବାରେ ଲାଗିଥିବା ବେଳେ ଏହାକୁ କାଉଣ୍ଟର କରିବାକୁ ଆମେରିକା ନିଜ ନୀତିରେ ବଡ଼ ପରିବର୍ତ୍ତନ କରୁଥିବା ଚର୍ଚ୍ଚା ହେଉଛି ।
Comments are closed.