ଭୁବନେଶ୍ୱର: ଆଜି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକ । ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିବା ଲକ୍ଷ୍ମୀକାନ୍ତଙ୍କର୍ ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ଆସନ୍ତୁ ଜାଣିବା ତାଙ୍କର ଅନନ୍ୟ ରଚନାବଳୀ ସମ୍ପର୍କରେ…
ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ । ସ୍ୱରାଜ ଓ ସ୍ୱଦେଶୀ ଭାବରେ ତାଙ୍କର କବିତା ସବୁ ଲେଖାଯାଇଥିଲା । ତାଙ୍କର ରଚନା ସବୁ ୨ଟି ଭାଗରେ “କାନ୍ତ ସାହିତ୍ୟୟନ ଖଣ୍ଡ”-୧ ଓ ୨ ଭାବରେ ପ୍ରକାଶ ପାଇଥିଲା । ଖଣ୍ଡ-୨ରେ ତାଙ୍କ ରଚିତ ଜାତିପ୍ରେମ କବିତା ସବୁ ଅଛି ।
ଏଥିରେ ସମୁଦାୟ ୩୩ ଗୋଟି ଦେଶପ୍ରେମ କବିତା ଅଛି । ଏଥିରୁ ୨୬ ଗୋଟି କବିତା ପ୍ରଥମ ଭାଗରେ ଅଛି ଯାହା ଭିତରୁ ଦୁଇଟି ଜଣାଶୁଣା କବିତା ହେଲା:
.ବନ୍ଦେ ଉତ୍କଳ ଜନନୀ
.କେ କହିବ ଆଜି ଭାରତ କେ କହିବ ତାକୁ ଦିନ ଆଦି ।
.ପ୍ରଳୟ ଦୁନ୍ଦୁଭି
.ଉନ୍ମାଦ
.ଆର୍ଯ୍ୟ ବାହିନୀ
.ବିଜୟବନ
.ଜାତୀୟ ପତାକା
.ସମର ସଙ୍ଗୀତ
.ଏ ଦେଶ
ସେ ତାଙ୍କର ଅସମ୍ପୂର୍ଣ୍ଣ ଉପନ୍ୟାସ ‘କଣାମାମୁଁ’ ଓ କ୍ଷୁଦ୍ରଗଳ୍ପ ‘ବୁଢା ଶଙ୍ଖାରୀ’ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଉତ୍କଳ ସମ୍ମିଳନୀ ସଭାରେ ଗାନ କରଯାଇଥିଲା ଓ ମଧୁସୂଦନ ଦାସ ଏହାର ଭୂୟସୀ ପ୍ରଶଂସା କରିଥିଲେ । ସେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଭକ୍ତି କବିତା ରଚନା କରିଥିଲେ ।
ବ୍ୟଙ୍ଗନାଟକ ଓ ଲାଳିକା ତାଙ୍କ ସାହିତ୍ୟର ଅନ୍ୟ ଏକ ଦିଗ ଥିଲା । ରାଜନୈତିକ ଅସ୍ଥିରତାକୁ ନେଇ “ଡିମ୍ବକ୍ରେସି ସଭା”, “ହନୁମନ୍ତ ବସ୍ତ୍ରହରଣ”, “ସମସ୍ୟା” ଆଦି ନାଟକ ରଚନା କରିଥିଲେ । କଳାରେ କେଳେଙ୍କାରୀକୁ ନେଇ ସେ ରଚନା କରିଥିଲେ ବ୍ୟଙ୍ଗନାଟକ “ଫିଲ୍ମଷ୍ଟାର” । କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋରଚନ୍ଦ୍ରାନନ ଚମ୍ପୂ ଅନୁକରଣରେ ସେ “ଚଟକ ଚନ୍ଦ୍ରହାସ ଚମ୍ପୂ” ନାମକ ଲାଳିକା ରଚନା କରିଥିଲେ । ଏହାକୁ ତାଙ୍କର ଶ୍ରେଷ୍ଠ ଲାଳିକା କୁହାଯାଏ ।
Comments are closed.