Latest Odisha News

BREAKING NEWS

ମନେ ପଡନ୍ତି କିଶୋର କୁମାର….

ମୁମ୍ବାଇ: ପ୍ରଖ୍ୟାତ ଗାୟକ କିଶୋର କୁମାରଙ୍କ ଜନ୍ମ ୪ ଅଗଷ୍ଟ ୧୯୨୯ରେ ହୋଇଥିଲା ଏବଂ ମୃତ୍ୟୁ ୧୩ ଅକ୍ଟୋବର ୧୯୮୭ରେ ହୋଇଥିଲା। ମାତ୍ର ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। କିଶୋର କୁମାରଙ୍କ ମୂଳ ନାମ ଥିଲା ଆଭାସ କୁମାର ଗାଙ୍ଗୁଲୀ। ବଡ଼ ଭାଇ ଅଶୋକ କୁମାର ଓ ଅନୂପ କୁମାର ବଲିଉଡ୍‌ର ଖ୍ୟାତନାମା ଅଭିନେତା ଥିଲେ। ଭାଇମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବମ୍ବେ ମହାନଗରୀରେ ପେସାଦାର କଳାକାର ଜୀବନ ଆରମ୍ଭ କରିଥିଲେ।

‘ବମ୍ବେ ଟକିଜ୍‌’ ପ୍ରଯୋଜନା ସଂସ୍ଥାରେ କୋରସ୍‌ ଗାୟକ ଭାବେ କିଶୋରଙ୍କ ପେସାଦାର କଳାକାର ଜୀବନ ଆରମ୍ଭ ହୋଇଥିଲା। ୧୯୪୬ରେ ‘ଶିକାରୀ’  ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ। ସେଥିରେ ମୁଖ୍ୟ ଅଭିନେତା ଥିଲେ ବଡ଼ ଭାଇ ଅଶୋକ।

୧୯୪୮ରେ ‘ଜିଦୀ’ ଫିଲ୍ମରେ କିଶୋର ପ୍ରଥମ ଥର ପାଇଁ ଗୀତ ଗାଇଥିଲେ। ଅଭିନୟକୁ ସେତେଟା ଗୁରୁତ୍ୱ ଦେଉ ନ ଥିଲେ କିଶୋର କୁମାର। ଜଣେ ଭଲ ଗାୟକ ହେବା ତାଙ୍କର ଲକ୍ଷ୍ୟ ଥିଲା।

୧୯୪୬-୫୫ ଭିତରେ କିଶୋର କୁମାର ପ୍ରାୟ ୨୨ଟି ଫିଲ୍ମରେ ଅଭିନୟ କରିଥିଲେ ଏବଂ ସେଥିରୁ ଷୋହଳଟି ଫ୍ଲପ୍‌ ହୋଇଥିଲା। ‘ଲଡ଼କୀ’, ‘ମିସ୍‌ ମାଲେସିଆ’, ‘ନୌକରୀ’, ‘ଚାର ପୈସେ’, ‘ବାପ୍‌ ରେ ବାପ୍‌’ର ସଫଳତା ପରେ ତାଙ୍କ ପେସାଦାର ଜୀବନରେ ଉନ୍ନତି ହୋଇଥିଲା।

ସେ ରାଜେଶ ଖନ୍ନାଙ୍କ ପାଇଁ ସର୍ବାଧିକ ୨୪୫ଟି ଗୀତ ଗାଇଥିଲେ, ଜିତେନ୍ଦ୍ରଙ୍କ ପାଇଁ ୨୦୨, ଦେବ ଆନନ୍ଦଙ୍କ ପାଇଁ ୧୧୯, ଏବଂ ଅମିତାଭ ବଚ୍ଚନଙ୍କ ପାଇଁ ୧୩୧ଟି ଗୀତ ଗାଇଥିଲେ। ତାଙ୍କର ଅନନ୍ୟ ପ୍ରତିଭା ପାଇଁ ସେ ଗାୟକ ଭାବେ ମୋଟ ଆଠ ଥର ‘ଫିଲ୍ମଫେୟାର୍‌ ପୁରସ୍କାର’ ପାଇଥିଲେ, ଯାହା  ଏକ ରେକର୍ଡ‌୍ ହୋଇରହିଛି।

Leave A Reply

Your email address will not be published.