Latest Odisha News

BREAKING NEWS

ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ ଜୋ ବାଇଡେନ୍‌: ଘୋଷଣା କଲା ଡିସିସନ୍ ଡେସ୍କ

ୱାଶିଂଟନ:ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଜୋ ବାଇଡେନ। ଭୋଟ ଗଣତି ଜାରି ରହିଥିବା ବେଳେ ଆମେରିକାର ଗୋଟିଏ ପ୍ରସିଦ୍ଧ ଆଉଟ ଲେଟ ଏଭଳି ଘୋଷଣା କରିଛି। ନଭେମ୍ବର ୩ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ସେବେଠାରୁ ଭୋଟ ଗଣତି ଜାରି ରହିଛି। ଗଣତିରୁ ସ୍ପଷ୍ଟ ହୋଇଛି ଯେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କୁ ବହୁ ପଛରେ ପକାଇ ଆଗକୁ ବଢ଼ି ଚାଲିଛନ୍ତି।

ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଥିବା ବେଳେ ଡିସିସନ ଡେସ୍କ ଏଚ୍‌କ୍ୟୁ ପ୍ରଥମ ଆଉଟ ଲେଟ ଭାବେ ବାଇଡେନଙ୍କୁ ବିଜେତା ଘୋଷଣା କରିଛି। ବାଇଡେନ ହିଁ ଆମେରିକାର ୪୬ତମ ରାଷ୍ଟ୍ରପତି ହେବ ବୋଲି ଏହି ସଂସ୍ଥା କହିଛି।

ଡିସିସନ ଡେସ୍କ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ଡିସିସନ ଡେସ୍କ ଏଚ୍‌କ୍ୟୁର ଆକଳନ ଅନୁଯାୟୀ ଜୋ ବାଇଡେନ ଗୁରୁତ୍ୱପୂର୍ଣ୍ଣ ପେନସଲଭେନିଆରେ ବିଜୟୀ ହୋଇଛନ୍ତି। ଏଠାରେ ଥିବା ୨୦ଟି ଯାକ ଇଲେକ୍ଟୋରାଲ ଭୋଟ ତାଙ୍କ ସପକ୍ଷରେ ଯାଇଛି। ଏବେ ତାଙ୍କ ସପକ୍ଷରେ ୨୭୪ ଭୋଟ ରହିଛି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ହେଲେ ଜଣେ ପ୍ରାର୍ଥୀଙ୍କୁ ୨୭୦ଟି ଇଲେକ୍ଟୋରାଲ ଭୋଟ ଦରକାର। ତେଣୁ ଜୋ ବାଇଡେନ ହିଁ ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ।

ଆଜି ଫେଲାଡେଲଫିଆରୁ ଆସିଥିବା ବାଲଟରେ ଗଣତି ବର୍ତ୍ତମାନ ପେନସଲଭେନିଆରେ ଚାଲିଛି। ପୂର୍ବରୁ ବାଇଡେନ ପଛରେ ରହିଥିଲେ। କିନ୍ତୁ ଏବେ ସେ ୫,୫୦୦ ଭୋଟରେ ଆଗୁଆ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ହେଲପ ଡେସ୍କ ବାଇଡେନଙ୍କୁ ବିଜେତା ଘୋଷଣା କରିଛି।

Leave A Reply

Your email address will not be published.