Latest Odisha News

BREAKING NEWS

ଆମେରିକାର ଆକ୍ରମଣ…ଜବାବି ହମଲା କରିବ କି ଇରାନ୍ ?

ନୂଆଦିଲ୍ଲୀ: ଇରାନ ଉପରେ ହମଲା କରି ନିଜ କାର୍ଯ୍ୟକାଳରେ ସବୁଠୁ ବଡ଼ ରିସ୍କ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ । ଇରାନର ନତାଞ୍ଜ, ଫୋର୍ଡୋ ଓ ଇସ୍ଫହାନରେ ଥିବା ୟୁରାନିୟମ ସମୃଦ୍ଧିକରଣସ୍ଥଳ ଉପରେ ଆକ୍ରମଣ କରିଛି ଆମେରିକା । ଫୋର୍ଡୋ ପରମାଣୁ ସାଇଟ ଉପରେ ବୋମାର ପୂରା ପେଲୋଡ୍ ପକାଯାଇଥିବା ଟ୍ରମ୍ପ କହିଛନ୍ତି । ଆକ୍ରମଣରେ ବଙ୍କର ବଷ୍ଟର ବୋମାର ବ୍ୟବହାର କରିଛି ଆମେରିକା । ଏହା ଏକମାତ୍ର ହତିଆର ଯାହା ଭୂପୃଷ୍ଠରୁ ପ୍ରାୟ ୯୦ମିଟର ତଳେ ଫୋର୍ଡୋ ପରମାଣୁ ସମୃଦ୍ଧିକରଣସ୍ଥଳ ଭେଦ କରିପାରିବ । ସେହିପରି ଇରାନର ନତାଞ୍ଜ ଓ ଇସ୍ଫହାନ ପରମାଣୁ ଠିକଣା ଉପରେ ଆରବ ସାଗରରେ ସବମରିନରୁ ୩୦ଟି ଟମହକ୍ ଲ୍ୟାଣ୍ଡ ଆଟାକ୍ କ୍ରୁଜ ମିସାଇଲ୍ ମାଡ କରିଥିଲା । ଟମହକ ମିସାଇଲର ମାରକ କ୍ଷମତା ୧୫ଶହ କିଲୋମିଟର ରହିଥିବା ବେଳେ ଏହା ୪୫୦କିଲୋଗ୍ରାମ ବିସ୍ଫୋଟକ ନେଇ ପାରିବ ।

ଇରାନ ପରମାଣୁ କାର୍ଯ୍ୟକ୍ରମକୁ ଝଟକା

ଆଫଗାନିସ୍ତାନରେ ଆଇଏସଆଇଏସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ପରେ ଇରାନ ଉପରେ ଆକାଶମାର୍ଗରେ ସବୁଠୁ ବଡ଼ ଆକ୍ରମଣ କରିଛି । ଆମେରିକାର ଆକ୍ରମଣ ଇରାନର ପରମାଣୁ ଠିକଣାରେ କେତେ କ୍ଷୟକ୍ଷତି କରିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନି । ତେବେ ପରମାଣୁ ପ୍ରତିଷ୍ଠାନ ଉପରେ ଏତେ ମାତ୍ରାରେ ବିସ୍ଫୋରକ ପକାଯାଇଥିବାରୁ ଇରାନର ପରମାଣୁ ସମୃଦ୍ଧିକରଣ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ କିଛି ବର୍ଷ ପଛକୁ ଚାଲିଯିବ । କୁହାଯାଉଛି, ଇରାନ ହାଇଲି ଏନରିଚଡ ୟୁରେନିୟମ ବା ଏଚଇୟୁକୁ ରେଡିୟୋଲୋଜିକାଲି ଡିସପର୍ସଡ ଡିଭାଇସ ବା ଡାର୍ଟି ବମ୍ ପ୍ରସ୍ତୁତି କରିବାରେ ବ୍ୟବହାର କରିପାରେ । ତେବେ ଆକ୍ରମଣ ପରେ ପରମାଣୁ ହତିଆର ବନାଇବାକୁ ଆବଶ୍ୟକ ୟୁରେନିୟମ ଉତ୍ପାଦନ କରିବାର ବିକଳ୍ପ ବନ୍ଦ ହୋଇଯିବ ।

ସଂଘର୍ଷରେ ଇସ୍ରାଏଲ୍ ବିଜେତା

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷରେ ଇସ୍ରାଏଲ୍ ବିଜେତା । ୨୦୨୩ ଅକ୍ଟୋବର ୭ତାରିଖରେ ଇସ୍ରାଏଲୀ ନାଗରିକଙ୍କ ନରସଂହାର ପରେ ଯୁଦ୍ଧ ଆରମ୍ଭ କରିଥିଲା ଇସ୍ରାଏଲ୍ । ହମାସ, ହିଜବୁଲ୍ଲାହ ଓ ହୁତିକୁ ନିଶାନା ବନାଇଥିଲା । ଏସବୁ ଇରାନ ସମର୍ଥିତ ସଶସ୍ତ୍ର ମିଲିସିଆ ସଂଗଠନ । ଇରାନ ପରମାଣୁ ହତିଆର ବନାଇବାକୁ ଆବଶ୍ୟକ ୟୁରେନିୟମ ଉପଯୋଗ କରୁଥିବା ନେଇ ଆଇଏଇଏ କହିବା ପରେ ଜୁନ୍ ୧୩ତାରିଖରେ ଇରାନ୍ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ୍ । ଏଥିରେ ଇରାନର ପରମାଣୁ ବୈଜ୍ଞାନିକ ଓ ସେନା କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା । ହେଲେ ଏହା ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଲାଇନଚ୍ୟୁତ କରିପାରିଲାନି । ଆଉ ସେଥିପାଇଁ ଆମେରିକାର ହସ୍ତକ୍ଷେପ ଆବଶ୍ୟକ ଥିଲା, ୨୨ତାରିଖରେ ଆକ୍ରମଣ କରିଥିଲା ୟୁଏସ୍ ।

ଜବାବି ଆକ୍ରମଣ କରିବ ଇରାନ୍ !

ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଇରାନ ଆଗରେ ଏମିତି ଚ୍ୟାଲେଞ୍ଜ ରଖିଛି ଯାହା ୪୫ବର୍ଷ ମଧ୍ୟରେ କେବେବି ସାମନା କରିନଥିଲା ଦେଶ। ନା ଇରାକ୍ ସହ ୮ବର୍ଷ ଧରି ଚାଲିଥିବା ଯୁଦ୍ଧରେ ନା ୨୦୨୧-୨୨ରେ ସରକାର ବିରୋଧୀ ପ୍ରଦର୍ଶନ ବେଳେ । ଇସ୍ରାଏଲ୍ ଓ ଆମେରିକାର ଯୁଦ୍ଧ ବିମାନ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍ କରିଛନ୍ତି । ଇରାନର ପରମାଣୁ ପ୍ରତିଷ୍ଠାନ ଗୁଡିକ ଉପରେ ଆମେରିକା ଆକ୍ରମଣ କରିବା ପରେ ଜବାବି ଆକ୍ରମଣର ଧମକ ଦେଇଛି ଦେଶ । ତେବେ ଏଥିପାଇଁ ସ୍ଥାନ ସୀମିତ । ପଶ୍ଚିମ ଏସିଆ ତଥା ଇରାନର ଆଖପାଖରେ ଥିବା ୮ସ୍ଥାୟୀ ଆମେରିକୀୟ ସେନା ଠିକଣା ଉପରେ କିଛି ବାଲିଷ୍ଟିକ ମିସାଇଲ୍ ମାଡ କରିପାରେ ଇରାନ । ତେବେ ଏପରି କଲେ, ସେଣ୍ଟ୍ରାଲ କମାଣ୍ଡ ଯୁଦ୍ଧ କ୍ଷେତ୍ରରେ ନିୟୋଜିତ ଆମେରିକା କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ ଓ ଫାଇଟର ଜେଟ୍ ଜବାବି ଆକ୍ରମଣ ଆରମ୍ଭ କରିଦେବେ । ସେହିପରି ଇରାନ ହୋର୍ମୁଜ ଷ୍ଟ୍ରେଟକୁ ବନ୍ଦ କରିବାକୁ ଉଦ୍ୟମ କରିବା ସହ ଆଣ୍ଟି ସିପ୍ ବାଲିଷ୍ଟିକ ମିସାଇଲ୍ ମାଡ କରିପାରେ । ଏହି ବାଟ ଦେଇ ବିଶ୍ବର ଏକ ଚତୁର୍ଥାଂଶ ତୈଳ ଓ ୨୦ପ୍ରତିଶତ ଏଲଏନଜି ଯୋଗାଣ ହୁଏ । ତେବେ ଏଭଳି କଲେ ଇରାନ ଆମେରିକାର ଜବାବି ଆକ୍ରମଣକୁ ଆମନ୍ତ୍ରଣ କରିବ । ତେଣୁ ଅୟାତୁଲ୍ଲା ଖୋମେନେଇଙ୍କ ସାମନାରେ ବିକଳ୍ପ ଖୁବ୍ କମ୍ ରହିଛି । ଆମେରିକା ଓ ଇସ୍ରାଏଲ୍ ଉପରେ ଇରାନ ପ୍ରତୀକାତ୍ମକ ଆକ୍ରମଣ କରିପାରେ । ଶାନ୍ତି ଆଲୋଚନାକୁ ବି ଫେରିବା ସହ ନିଜ ସେନା କ୍ଷମତାର ପୁନର୍ନିମାଣ ଉପରେ ଧ୍ୟାନ ଦେଇପାରେ ।

Comments are closed.