Latest Odisha News

ମୋଦୀଙ୍କ ପରେ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଏବେ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗଲ୍‌ୱାନ୍ ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ଏବେ ତିକ୍ତତା କମ ହେବା ସହ ଚୀନ ସେନା ପଛକୁ ଘୁଞ୍ଚିଛି । ତଥାପି ଚୀନର ପ୍ରତି ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଛି । ତେବେ ଗଲ୍‌ୱାନ୍ ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୁଲାଇ ୧୭ରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପାଇଁ ଲଦାଖ ଗସ୍ତ କରିବେ ବୋଲି ଜଣାପଡିଛି ।

ରାଜନାଥ ଜୁଲାଇ ୧୮ରେ ଜମ୍ମୁ-କଶ୍ମୀରର ଅଗ୍ରଗାମୀ ଅଞ୍ଚଳ ପରିଦର୍ଶନ କରିବେ ଏବଂ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରୱାଣେ ତାଙ୍କ ସହ ରହିବେ ବୋଲି ଅଧିକାରୀମାନେ କହିଛନ୍ତି । ଏଲଏସିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ପ୍ରତିରକ୍ଷା ମନ୍ତ୍ରୀ ସ୍ଥିତି ସମୀକ୍ଷା ପାଇଁ ଯାଇ ନଥିଲେ । ଗଲ୍‌ୱାନ୍ ସଂଘର୍ଷ ପରେ ଏହା ତାଙ୍କର ଏହା ପ୍ରଥମ ଲଦାଖ ଗସ୍ତ ବୋଲି ଜଣା ପଡିଛି ।

ସୂଚନା ମୁତାବକ, ରାଜନାଥ ସିଂ ଜୁଲାଇ ୧୭ରେ ଲଦାଖ ଏବଂ ଜୁଲାଇ ୧୮ରେ ଶ୍ରୀନଗରରେ ରହିବେ। ସେ ସେନା ମୁଖ୍ୟଙ୍କ ସହ କିଛି ଫରୱାର୍ଡ ଲୋକେସନକୁ ମଧ୍ୟ ଯିବେ। ଜୁଲାଇ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖରେ ପହଞ୍ଚିଥିଲେ। ଚୀନ୍ ସୀମାରେ ଥିବା ଅଗ୍ରଗାମୀ ସ୍ଥାନ ନେମୋରୁ କାହାର ନାଁ ନ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଶତ୍ରୁଙ୍କୁ ଏକ ଦୃଢ ବାର୍ତ୍ତା ଦେଇଥିଲେ।

Comments are closed.