ନୂଆଦିଲ୍ଲୀ: ଭାରତର ସୀମା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆଉ ଏକ ପ୍ରମୁଖ ପଦକ୍ଷେପ ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଦିନ ଲଦାଖର ଶ୍ୟୋକ୍ ଟନେଲରୁ( Shyok Tunnel) ସୀମା ସଡ଼କ ସଂଗଠନ (BRO)ର ୧୨୫ଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିଛନ୍ତି ଓ ରାଷ୍ଟ୍ର ପାଇଁ ଉତ୍ସର୍ଗ କରିଥିଲେ।
ଏହି ୫,୦୦୦କୋଟି ପ୍ରକଳ୍ପଗୁଡ଼ିକରେ ୦୭ଟି ରାଜ୍ୟ ଏବଂ ୦୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ୨୮ଟି ରାସ୍ତା, ୯୩ଟି ସେତୁ ଏବଂ ୦୪ଟି ବିଭିନ୍ନ ରଣନୈତିକ ଭିତ୍ତିଭୂମି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ଏହି ପ୍ରକଳ୍ପଗୁଡ଼ିକ ଲଦାଖ ଏବଂ ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅରୁଣାଚଳ ପ୍ରଦେଶ, ସିକିମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ମିଜୋରାମ ରାଜ୍ୟରେ ଅବସ୍ଥିତ।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଚ୍ଚ, ତୁଷାରପାତପୂର୍ଣ୍ଣ, ମରୁଭୂମି ଏବଂ ବନ୍ୟା ପ୍ରବଣ ଅଞ୍ଚଳରେ ସୀମା ସଡ଼କ ସଂଗଠନର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଉନ୍ନତ ଭିତ୍ତିଭୂମି ସୈନ୍ୟ ଗତିବିଧିରେ ଉଲ୍ଲେଖନୀୟ ଉନ୍ନତି ଆଣିବ ଏବଂ ଦୂରବର୍ତ୍ତୀ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଲାଭ ଦେବ।
୯୨୦ ମିଟର ଲମ୍ବା ଶ୍ୟୋକ୍ ସୁଡ଼ଙ୍ଗ ଭାରତର ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା ଦକ୍ଷତାକୁ ପ୍ରଦର୍ଶନ କରୁଛି । ଏହି ସୁଡ଼ଙ୍ଗ ଭୂସ୍ଖଳନ ଏବଂ ହିମସ୍ଖଳନ ପ୍ରବଣ ଅଞ୍ଚଳ ଦେଇ ସୈନ୍ୟ ଏବଂ ସାଧାରଣ ନାଗରିକଙ୍କ ନିରବଚ୍ଛିନ୍ନ ଗତିବିଧି ସୁନିଶ୍ଚିତ କରିବ।
ଏହି ପ୍ରକଳ୍ପଗୁଡ଼ିକର ଉଦଘାଟନ କରିବା ସମୟରେ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, “ଆମର ସୈନିକମାନେ ସର୍ବଦା ଯେଉଁ ବୀରତ୍ୱ ଏବଂ ସାହସିକତା ପ୍ରଦର୍ଶନ କରିଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟକ । ଆଜି ଆମେ ଯେଉଁ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉଦଘାଟନ କରୁଛୁ, ତାହା ରାଷ୍ଟ୍ର ପକ୍ଷରୁ ଆମର ସେହି ବୀରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ଏଗୁଡ଼ିକୁ ଦେଶକୁ ଉତ୍ସର୍ଗ କରିବା ସମୟରେ ମୁଁ ଗର୍ବିତ ଅନୁଭବ କରୁଛି।”
ପ୍ରତିରକ୍ଷା ମନ୍ତ୍ରୀ ଦେଶର ସେବା ପାଇଁ କଷ୍ଟକର ଭୂଖଣ୍ଡ ଏବଂ କଠୋର ପାଗ ପରିସ୍ଥିତିରେ କାର୍ଯ୍ୟ କରିବା ପାଇଁ BRO ଯବାନମାନଙ୍କ ସମର୍ପଣ, ସାହସ ଏବଂ ବୃତ୍ତିଗତତାର ମଧ୍ୟ ପ୍ରଶଂସା କରିଥିଲେ। ଏହି ବର୍ଷ ଆରମ୍ଭରେ, ୦୭ ମଇ ୨୦୨୫ରେ, BROର ୬୬ତମ ପ୍ରତିଷ୍ଠା ଦିବସ ଅବସରରେ, ପ୍ରତିରକ୍ଷା ମନ୍ତ୍ରୀ ୫୦ଟି ଭିତ୍ତିଭୂମି ପ୍ରକଳ୍ପକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିଥିଲେ। କେବଳ ଗତ ଦୁଇ ବର୍ଷ ମଧ୍ୟରେ, BRO ମୋଟ ୩୫୬ଟି ଭିତ୍ତିଭୂମି ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରିଛି, ଯାହା ରଣନୈତିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ସଫଳତା।