ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଆଜି (ରବିବାର) ନେଦରଲ୍ୟାଣ୍ଡର ମହିଳା ହକି ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହି ଦଳ ଚାରିଟି ଖେଳରୁ ନଅ ପଏଣ୍ଟ ହାସଲ କରି ବର୍ତ୍ତମାନ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ନେଦରଲ୍ୟାଣ୍ଡ ମହିଳା ଦଳ ଫେବୃଆରୀ ୨୧ରେ ଇଂଲଣ୍ଡ ସହ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳିବ ।ଏହାପରେ ଫେବୃଆରୀ ୨୪,୨୫ ତାରିଖ ଦିନ ଘରୋଇ ଦଳ ଭାରତ ସହ ଫାଇଟ୍ କରିବ ଅତିଥି ଦଳ ନେଦରଲ୍ୟାଣ୍ଡ ।
ଭୁବନେଶ୍ୱରରେ ପହଞ୍ଚିବା ପରେ ନେଦରଲ୍ୟାଣ୍ଡର କ୍ୟାପଟେନ ପିଏନ୍ ସାଣ୍ଡର୍ସ କହିଛନ୍ତି, “ଏଠାକୁ ଆସିକି ଆମେ ବେଶ୍ ଉତ୍ସାହିତ ଅଛୁ ,କାରଣ ଏଠାକାର ପରିବେଶ ସବୁବେଳେ ବହୁତ ଭଲ ଥାଏ ଏବଂ ଆମେ ଏବେ ଆଗାମୀ ମ୍ୟାଚକୁ ଅପେକ୍ଷା କରିଛୁ । ଆମର ଲକ୍ଷ୍ୟ ହେଉଛି ଟାଇଟଲ୍ ରକ୍ଷା କରିବା । ଭାରତରେ ଚାରୋଟି ମ୍ୟାଚ ଖେଳି ଆମେ ସମସ୍ତ ୧୨ ପଏଣ୍ଟ ହାସଲ କରିବାର ଲକ୍ଷ୍ୟ ରଖିଛୁ ।
ଆହୁରି ମଧ୍ୟ ସେ କହିଛନ୍ତି, ଭାରତ ବିପକ୍ଷରେ ଖେଳିବା ଆମ ପାଇଁ କାଠିକର ହେବ ,କାରଣ ଘରୋଇ ଫ୍ୟାନ୍ସଙ୍କ ସମ୍ପୂର୍ଣ୍ଣ ସମର୍ଥନ ଭାରତକୁ ମିଳିବ । ”
ଅନ୍ୟପଟେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ସିଜନରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଗତକାଲି (ଶନିବାର)ଠାରୁ ଘରୋଇ ଗ୍ରାଉଣ୍ଡରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ଭାରତୀୟ ମହିଳା ଦଳ ନିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ୩-୨ଗୋଲ୍ ରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛନ୍ତି । ସେହିପରି ଭାରତୀୟ ପୁରୁଷ ଦଳ ନିଜର ପ୍ରଥମ ମ୍ୟାଚରେ ସ୍ପେନ ଠାରୁ ୧-୩ଗୋଲ୍ ରେ ପରାସ୍ତ ହୋଇଛନ୍ତି ।
ଆଜି ଭାରତୀୟ ପୁରୁଷ ଦଳ ପ୍ରଥମ ବିଜୟ ଲକ୍ଷ୍ୟରେ ସ୍ପେନ ବିପକ୍ଷରେ ପୁଣିଥରେ ଟର୍ଫକୁ ଓହ୍ଲାଇବ । ସେହିପରି ଭାରତୀୟ ମହିଳା ଦଳ ଆଜି ପୁଣି ଇଂଲଣ୍ଡ ସହ ଫାଇଟ୍ କରିବ ।
ସୂଚନାଥାଉକି, ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍ ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ ହେଉଛି । ଏହା ଫେବୃଆରୀ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଷ୍ଟାଡିୟମରେ ପ୍ରବେଶ ପାଇଁ ସମସ୍ତ ପ୍ରଶଂସକଙ୍କ ପାଇଁ ମାଗଣା ଟିକେଟ୍ ବ୍ୟବସ୍ଥା ରହିଛି । ଭର୍ଚୁଆଲ୍ ଟିକେଟ୍ ପାଇବା ପାଇଁ ପ୍ରଶଂସକମାନେ www.ticketgenie.in ମାଧ୍ୟମରେ ସେମାନଙ୍କର ବିବରଣୀ ପ୍ରବେଶ କରି ସହଜରେ ସେମାନଙ୍କର ଟିକେଟ୍ ସୁରକ୍ଷିତ କରିପାରିବେ ।
Comments are closed.