ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସଭାପତି ଭାବେ ନବୀନ ପଟ୍ଟନାୟକ ନବମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ନବୀନ ଦଳର ସଭାପତି ହୋଇଛନ୍ତି ଯେଉଁ ସମୟରେ ସେ କ୍ଷମତାରେ ଆଉ ନାହାନ୍ତି । ଏହାରି ଭିତରେ ବିଭିନ୍ନ କାରଣ ପାଇଁ ଦଳ ଆଭ୍ୟନ୍ତରୀରଣ କନ୍ଦଳର ସାମ୍ନା କରୁଛି । ତେଣୁ ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣାରେ ବିଳମ୍ବ ହେଉଥିବା କୁହାଯାଉଛି । ଦଳ ଭିତରେ ଅସନ୍ତୋଷର ଦାନା ରହିଛି। ବରିଷ୍ଠ ଓ କନିଷ୍ଠ ନେତାମାନେ ଦଳର ପରିଚାଳନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଚିନ୍ତା ଅସ୍ପଷ୍ଟ ରହିଛନ୍ତି।
ବିଜେଡିର ପରମ୍ପରା ଅନୁଯାୟୀ, ସଭାପତି ନିର୍ବାଚନ ପରେ ତୁରନ୍ତ ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା କରାଯାଇଥାଏ। କିନ୍ତୁ ଏଥର ବିଳମ୍ବ ହୋଇଛି । ତେଣୁ ଦଳ ଭିତରେ ସବୁକିଛି ଠିକ୍ ନାହିଁ ବୋଲି ଚର୍ଚ୍ଚା ହେଉଛି । କେହି କେହି ଅନୁମାନ କରୁଛନ୍ତି ଯେ ଦଳ ଭିତରେ ବିଦ୍ରୋହର ଭୟ କିମ୍ବା ଅସନ୍ତୁଷ୍ଟ ନେତାଙ୍କୁ ପ୍ରଶମିତ କରିବାକୁ ଯାଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା ସ୍ଥଗିତ ରଖାଯାଇଛି। ୧୫ଟି ସାଙ୍ଗଠନିକ ଜିଲ୍ଲାରେ ନେତୃତ୍ୱ ଚୟନ ନେଇ ଅନିଶ୍ଚିତତା ରହିଛି, ଯାହା ଦଳର କିଛି ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି।
ଏହି ବିଳମ୍ବ ଦଳର କାର୍ଯ୍ୟକଳାପ ପରିଚାଳନା ପାଇଁ ଗଠିତ ହେବାକୁ ଥିବା କମିଟି ଗଠନକୁ ମଧ୍ୟ ପ୍ରଭାବିତ କରୁଛି। ବିଜେଡିର ସମ୍ବିଧାନ ଅନୁଯାୟୀ ଏହି ବୋର୍ଡ ଗଠନ ଅତ୍ୟନ୍ତ ଜରୁରୀ, କିନ୍ତୁ ଏହାର ବିଳମ୍ବ ଦଳୀୟ କର୍ମୀଙ୍କ ମନୋବଳକୁ ଆହୁରି ଦୁର୍ବଳ କରୁଛି।
ବିଜେଡି ନେତାମାନେ ଏହି ସମସ୍ୟାର ଶୀଘ୍ର ସମାଧାନର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ କିଛି ସ୍ପଷ୍ଟ ହୋଇପାରିନି । ଯାହାକି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ରାଜନୈତିକ ବିଶ୍ଲେଷକମାନେ ନବୀନଙ୍କ ଏହି ଆଭ୍ୟନ୍ତରୀଣ ସଙ୍କଟ ନିରବଚ୍ଛିନ୍ନ ନେତୃତ୍ୱର ପରୀକ୍ଷା ଭାବେ ଦେଖୁଛନ୍ତି। ଆଗାମୀ ଦିନରେ ଦଳୀୟ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନବୀନଙ୍କ ନେତୃତ୍ୱକୁ ଆହୁରି ମଜବୁତ କରିପାରେ କିମ୍ବା ଦଳ ଭିତରେ ଫାଟ ସୃଷ୍ଟି କରିପାରେ।
ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ପୂର୍ଣ୍ଣାଙ୍ଗ କମିଟି ଗଠନ ପରେ ହିଁ କାହାକୁ ବାଦ ଦିଆଯିବ କି ନାହିଁ, ତାହା ସ୍ପଷ୍ଟ ହେବ। ଦଳ ଭିତରେ ଅସନ୍ତୋଷ ସ୍ୱାଭାବିକ, କାରଣ ସମସ୍ତଙ୍କୁ ଖୁସି କରାଯାଇପାରେ ନାହିଁ। ଯେଉଁ ମତଭେଦ ଅଛି, ତାହା ରାଜ୍ୟସ୍ତରୀୟ ନେତାମାନେ ସମାଧାନ କରିବେ।”
ବଡ଼କଥା ହେଉଛି ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଶାସକ ଦଳକୁ ସୁହାଇଛି । କୁହାଯାଉଛି ଅନେକ ନେତା ଦଳ ଭିତରେ କନ୍ଦଳ କରୁଥିବାରୁ ନବୀନଙ୍କ କୋପ ଦୃଷ୍ଟିରେ ଅଛନ୍ତି । ତେଣୁ ନବୀନଙ୍କ ନୂଆ ଟିମ୍ ଘୋଷଣା ପରେ ଅସନ୍ତୁଷ୍ଟ ନେତମାନେ ନିଜ ଭବିଷ୍ୟତକୁ ଦେଖି ବିଜେପି କିମ୍ବା କଂଗ୍ରେସକୁ ଡିଆଁ ମାରିପାରନ୍ତି ।
Comments are closed.