Latest Odisha News

BREAKING NEWS

ବିଶ୍ବର ୧୦୦ ଶ୍ରେଷ୍ଠ ଡାକ୍ତରଖାନାର ତାଲିକା ଜାରି; ୯୭ତମ ସ୍ଥାନରେ ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସ ହସ୍ପିଟାଲ ଏକ ବଡ଼ ସଫଳତା ହାସଲ କରିଛି । ଆମେରିକାର ସାପ୍ତାହିକ ସମ୍ବାଦ ପତ୍ରିକା ନ୍ୟୁଜୱିକ୍ ଏବଂ ଜର୍ମାନ ସଂଗଠନ ଷ୍ଟାଟିଷ୍ଟା ୨୦୨୪ ପାଇଁ ବିଶ୍ୱର ୧୦୦ ଶ୍ରେଷ୍ଠ ହସ୍ପିଟାଲଗୁଡ଼ିକୁ ସ୍ଥାନିତ କରିଛନ୍ତି । ଏହି ରାଙ୍କିଂରେ, ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ଏମ୍ସ)କୁ ବିଶ୍ୱସ୍ତରରେ ୯୭ତମ ସ୍ଥାନରେ ରହିଛି ।

ଉନ୍ନତ ମାନର ସ୍ବାସ୍ଥ୍ୟସେବା, ଅତ୍ୟାଧୁନିକ ଡାକ୍ତରୀ ଚିକିତ୍ସା ଓ ଗବେଷଣା, ରୋଗୀସେବାର ସଫଳତା, ସ୍ବାସ୍ଥ୍ୟପଯୋଗୀ ବାତାବରଣ ଏବଂ ଅଭିଜ୍ଞ ଡାକ୍ତରୀ ଦଳ ଭଳି ପ୍ରସଙ୍ଗକୁ ଆଧାର କରି ଦିଲ୍ଲୀ ଏମ୍ସ ଦେଶର ସର୍ବଶ୍ରେଷ୍ଠ ଡାକ୍ତରଖାନାଭାବେ ମାନ୍ୟତାଲାଭ କରିଥିବା କୁହାଯାଇଛି ।

ତେବେ ଦିଲ୍ଲୀର ଏମ୍ସ ବ୍ୟତୀତ ଅନ୍ୟ ଦୁଇଟି ଡାକ୍ତରଖାନା ମେଦାନ୍ତ (ଗୁରୁଗ୍ରାମ) ୧୪୬ ସ୍ଥାନରେ ରହିଥିବାବେଳେ, ଓ ଚଣ୍ଡିଗଡ଼ ସ୍ଥିତ ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (ପିଜିଆଇଏମଇଆର୍) ମେଡିକାଲ ୨୨୮ତମ ସ୍ଥାନରେ ରହିଥିବା ସୂଚନା ରହିଛି । ତେବେ ମେଦାନ୍ତ ହସ୍ପିଟାଲକୁ ହୃଦରୋଗ, କର୍କଟ ଏବଂ ଅଙ୍ଗ ପ୍ରତିରୋପଣ ଭଳି ବିଶେଷଜ୍ଞତାରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ବିଶେଷଜ୍ଞତା ପାଇଁ ମାନ୍ୟତା ମିଳିଛି ।
ସେହିପରି, ଆମେରିକାର ରୋଚେଷ୍ଟର ସ୍ଥିତ ମାୟୋ କ୍ଲିନିକ୍‌ ବିଶ୍ବର ସବଠାରୁ ଶ୍ରେଷ୍ଠ ଡାକ୍ତରଖାନା ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ୩୦ଟି ରାଷ୍ଟ୍ରର ୨୪୦୦ ଡାକ୍ତରଖାନାରେ ଚାଲିଥିବା ସ୍ବାସ୍ଥ୍ୟସେବାକୁ ଆଧାର କରି ଉକ୍ତ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଏମ୍ସ ଦିଲ୍ଲୀ ଦେଶର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ଏବଂ ମେଡିକାଲ କଲେଜ । ଦେଶ ବିଦେଶରୁ ରୋଗୀମାନେ ଚିକିତ୍ସା ପାଇଁ ଏମସ୍ କୁ ଆସନ୍ତି । ଏଠାରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ରୋଗୀମାନଙ୍କର ଚିକିତ୍ସା କରାଯାଏ । ୧୯୫୬ ମସିହାରେ ଏମ୍ସ ପ୍ରତିଷ୍ଠିତ ହୋଇଥିଲା । ପ୍ରତିଦିନ ୧୨ ରୁ ୧୫ ହଜାର ରୋଗୀ ଓପିଡି ପାଇଁ ଏମ୍ସକୁ ଆସନ୍ତି ।

Comments are closed.