ନୂଆଦିଲ୍ଲୀ: ବୁଧବାର ସକାଳ ୭ଟାରୁ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାରମ୍ଭିକ ଭୋଟରଙ୍କ ମଧ୍ୟରେ ସାମିଲ ଥିଲେ। ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ ସ୍କୁଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତଦାନ କରିଥିଲେ।
ଏହି ମତଦାନ କେନ୍ଦ୍ରକୁ ସୱତନ୍ତ୍ର ଢଙ୍ଗରେ ସଜାଯାଇଛି । ଭୋଟ ଦେବା ପରେ ରାଷ୍ଟ୍ରପତି ମତଦାନ କେନ୍ଦ୍ର ବାହାରେ ଏକ ଫଟୋ ମଧ୍ୟ ଉଠାଇଥିଲେ। ଆଜି ସକାଳ ୭ଟାରୁ ସନ୍ଧ୍ଯା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ୧୩,୭୬୬ ମତଦାନ କେନ୍ଦ୍ରରେ ୧ କୋଟି ୫୬ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୮୩ ଲକ୍ଷ ୭୬ ହଜାର ପୁରୁଷ, ୭୨ ଲକ୍ଷ ୩୬ ହଜାର ମହିଳା ଏବଂ ୧,୨୬୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।
ଏହି ନିର୍ବାଚନରେ ଦିଲ୍ଲୀର ୩ ମୁଖ୍ୟ ରାଜନୈତିକ ଦଳ ଆମ୍ ଆଦ୍ମୀ ପାର୍ଟି (ଆପ୍), ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଲଗାତର ତୃତୀୟ ଥର ପାଇଁ ଦିଲ୍ଲୀ ଶାସନ ଗାଦିକୁ ଫେରିବାକୁ (ଆପ୍) ଲକ୍ଷ୍ୟ ରଖିଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀରେ ଦୀର୍ଘ ୨୭ ବର୍ଷର ରାଜନୈତିକ ବନବାସକୁ ଶେଷ କରିବାକୁ ନିର୍ବାଚନୀ ପ୍ରଚାରରେ ବିଜେପି ପ୍ରୟାସ କରିଥିଲା।
Comments are closed.