ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଦିଲ୍ଲୀ ଶାସକ ବିଜେପି ବନିଥିବା ବେଳେ ପ୍ରଥମ ଅଧିବେଶନରେ ମହିଳାଙ୍କୁ ୨୫୦୦ ପ୍ରତିଶ୍ରୁତି ଏବଂ ୧୪ ଟି ବିଚାରାଧୀନ ନିୟନ୍ତ୍ରକ ଏବଂ ସିଏଜି ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
ତେବେ ପ୍ରଥମ ଦିନ ଗୃହର କାର୍ଯ୍ୟ ଆରମ୍ଭ ହେଉ ହେଉ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ନୂଆଦିଲ୍ଲୀ ବିଧାୟକ ପରବେଶ ବର୍ମାଙ୍କ ସମେତ ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିଥିଲେ । କାମଚଳା ବାଚସ୍ପତି ଭାବେ ବିଜେପି ବିଧାୟକ ଅରବିନ୍ଦର ସିଂହ ଲଭଲି ଶପଥ ଗ୍ରହଣ କରାଇଥିଲେ । ଏହାପରେ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ବରିଷ୍ଠ ବିଜେପି ନେତା ବିଜେନ୍ଦର ଗୁପ୍ତାଙ୍କୁ ବାଚସ୍ପତି ଭାବରେ ନିର୍ବାଚିତ କରିବା ପାଇଁ ପ୍ରସ୍ତାବ ଆଗତ କରିଛନ୍ତି । ଏଥିସହିତ ବିଜେପି ବିଧାୟକ ମୋହନ ସିଂହ ବିଷ୍ଟଙ୍କୁ ଦିଲ୍ଲୀ ବିଧାନସଭାର ଉପବାଚସ୍ପତି ଭାବରେ ନିର୍ବାଚିତ କରାଯିବାର ସମ୍ଭାବନା ରହିଛି । ତେବେ ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ବର୍ତ୍ତମାନ ୪୮ ଜଣ ବିଜେପି ବିଧାୟକ ଏବଂ ୨୨ ଜଣ ଆପ ବିଧାୟକ ଉପସ୍ଥିତ ଅଛନ୍ତି ।
ସେପଟେ ଦିଲ୍ଲୀର ୮ମ ବିଧାନସଭାର ତିନି ଦିନିଆ ଅଧିବେଶନ ଆଜି ଆରମ୍ଭ ହୋଇଥିବା ବେଳେ ଏହାର ୨ୟ ଦିନରେ, ଉପରାଜ୍ୟପାଳ ଭିକେ ସକ୍ସେନା ଗୃହକୁ ସମ୍ବୋଧିତ କରିବେ । ପୂର୍ବ ଆମ ଆଦମୀ ପାର୍ଟି (ଆପ) ସରକାରଙ୍କ ଉପରେ ଆଧାରିତ ସିଏଜି ରିପୋର୍ଟ ଉପସ୍ଥାପନ କରାଯିବ । ଏହା ପରେ ଉପରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ ।
ଅନ୍ୟପଟେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ବିରୋଧୀ ଦଳ ନେତା ଭାବରେ ଚୟନ କରିଛନ୍ତି ଆପ୍ ବିଧାୟକ । ତେଣୁ ସେ ବିରୋଧୀ ଦଳ ନେତା ଭାବରେ ଗୃହରେ ଦାୟିତ୍ବ ନେବେ । ଯାହା ଦେଶରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଦେଶରେ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଉଭୟ ମହିଳା ।
ତେବେ ଏଥର ଦିଲ୍ଲୀ ବିଧାନସଭାରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିପାରେ । ବିରୋଧୀ ଦଳ ଆପ୍, ଅଧିବେଶନ ସମୟରେ ଦିଲ୍ଲୀର ମହିଳାମାନଙ୍କୁ ୨୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଗୃହରେ ଉଠାଇ ସରକାରଙ୍କୁ ଘେରିପାରେ । ଆରମ୍ଭରୁ ହିଁ ବିଜେପି ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛି ବିରୋଧୀ ଆପ୍ । ରେଖା ଗୁପ୍ତା ଫେବୃଆରୀ ୨୦ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ପରେ ପ୍ରଥମ କ୍ୟାବିନେଟ ବୈଠକ କରିବା ପରଠାରୁ, ଆପ ନୂଆ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛି । ବିଜେପିର ପ୍ରତିଶ୍ରୁତି ପୂରଣ କରିବା ଏବଂ ପ୍ରସ୍ତାବିତ ମହିଳା ସମୃଦ୍ଧି ଯୋଜନା ଉପରେ ନିଷ୍ପତ୍ତି ନେବାକୁ ବାରମ୍ବାର ଚାପ ପକାଇ ଆସୁଛି ।
Comments are closed.