ନୂଆଦିଲ୍ଲୀ: ଆସନ୍ତା ୧୯ କିମ୍ବା ୨୦ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ କରିପାରେ ବିଜେପି । ଏନେଇ ସରକାରୀ ରିପୋର୍ଟରୁ ଜଣାପଡିଛି । ଏହା ପୂର୍ବରୁ ୧୭ ଏବଂ ୧୮ରେ ବିଜେପିର ବିଧାୟକ ଦଳ ବୈଠକ ବସିପାରେ । କିଏ ଦିଲ୍ଲୀ ଶାସନ ଭାର ସମ୍ଭାଳିବ? କାହାକୁ ବାଛିବେ କେନ୍ଦ୍ର ବିଜେପି ନେତୃତ୍ବ? ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଦିଲ୍ଲୀରେ ପହଞ୍ଚିଥିବା ବେଳେ ୨୭ ବର୍ଷ ପରେ ଦିଲ୍ଲୀରେ ନୂଆ ସରକାର ଗଢିବା ପାଇଁ ଉତ୍ସୁକତାର ସହିତ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ଅନ୍ୟ ବିଜେପି ନେତାଙ୍କୁ ନେଇ ଦଳୀୟ ବୈଠକ ବସିପାରେ । ଶୁଣାଯାଉଛି, ଦିଲ୍ଲୀର ୪୮ ଆସନ ହାସଲ କରିଥିବା ବିଜେପି, ୧୫ ଆସନ ପାଇଁ ତାର ବିଧାୟକ ପ୍ରାର୍ଥୀଙ୍କୁ ଚୟନ କରିସାରିଛି । ବୈଠକରେ ଆଉ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ ଏବଂ ବାଚସ୍ପତି ଭାବେ ଚୟନ କରାଯାଇପାରେ ।
ଗତ ଶନିବାର ଦିଲ୍ଲୀ ନିର୍ବାଚନର ଭୋଟ ଗଣନା ହୋଇଥିବା ବେଳେ, ୭୦ ଆସନରୁ ବିଜେପି ୪୮ଟି ଆସନରେ ବୁହମତ ହାସଲ କରି ଦୀର୍ଘ ୨୭ ବର୍ଷ ପରେ ସରକାରକୁ ଫେରିଛି । ପ୍ରାୟ ଏକ ଦଶନ୍ଧି ଧରି ଦିଲ୍ଲୀରେ ଶାସନ କରୁଥିବା ଆପ ୨୨ ଟି ଆସନ ଜିତିବାରେ ପରାଜୟ ବରଣ କରିଥିବା ବେଳେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କ ସମେତ ପ୍ରମୁଖ ନେତାମାନେ ପରାଜୟର ସମ୍ମୁଖୀନ ହୋଇଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀ ମୁହଁ ଘୋଷଣା ନକରି ନିର୍ବାଚନ ଜିତିଥିବା ବିଜେପି ସରକାର, ଏବେ ଦିଲ୍ଲୀ ମୁଖିଆ ନିର୍ଣ୍ଣୟ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ କରିଛି । ଯେଉଁଥିରେ ପାଞ୍ଚ ଜଣ ନେତା ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଚର୍ଚ୍ଚାରେ ରହିଛନ୍ତି । ନୂଆଦିଲ୍ଲୀ ଆସନରେ କେଜ୍ରିଓ୍ବାଲଙ୍କୁ ପରାସ୍ତ କରିଥିବା ପରବେଶ ବର୍ମା ଦିଲ୍ଲୀରେ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ମୁହଁ ତାଲିକାରେ ଆଗଧାଡିରେ ରହିଛନ୍ତି । ସେହିପରି ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଥିବା ବରିଷ୍ଠ ବିଜେପି ନେତା ବିଜେନ୍ଦର ଗୁପ୍ତା, ପୂର୍ବରୁ ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଥିବା ଜଣେ ପ୍ରମୁଖ ବ୍ରାହ୍ମଣ ଚେହେରା ସତୀଶ ଉପାଧ୍ୟାୟ, କେନ୍ଦ୍ରୀୟ ନେତାମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖୁଥିବା ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ ଆଶିଷ ସୁଦ ଏବଂ ବୈଶ୍ୟ ସମ୍ପ୍ରଦାୟର ଜଣେ କଟ୍ଟର ଆରଏସଏସ ଜିତେନ୍ଦ୍ର ମହାଜନଙ୍କ ନାମ ଚର୍ଚ୍ଚାରେ ରହିଛି ।
Comments are closed.