Latest Odisha News

BREAKING NEWS

ଗୁରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ, ଶିଷ୍ଯ ରାଘବ ଚଢ଼ା କେଉଁଠି?

ନୂଆଦିଲ୍ଲୀ: ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ନେତା ଜିତେନ୍ଦ୍ର ଆୱାଡ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅବକାରୀ ନୀତି ସଂକ୍ରାନ୍ତ ଏକ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ଅଛନ୍ତି।

ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ତିଆରି ହୋଇଥିବା ବିରୋଧୀ ଇଣ୍ଡିଆ ମେଂଟର ସଦସ୍ୟ ହେଉଛନ୍ତି ଆପ୍ ଏବଂ ଶରଦ ପାଓ୍ବାରଙ୍କ ଏନସିପିି।

ଶରଦ ପାଓ୍ୱାରଙ୍କ ଗୋଷ୍ଠୀର ଏହି ନେତା ଗଣମାଧ୍ୟମକୁ କହିଛନ୍ତି, ଆତିଶୀଙ୍କ ଭଳି ଅନ୍ୟ ଆପ୍ ନେତା କେଜ୍ରିଓ୍ବାଲ ଗିରଫ ହେବା ପରେ ସାମ୍ନାକୁ ଆସୁନାହାନ୍ତି। ଏପରି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶିଷ୍ଯ କୁହାଯାଉଥିବା ରାଘବ ଚଢ଼ାଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ ଚଢ଼ାଙ୍କ ବୁଦ୍ଧିକୁ ପ୍ରଶଂସା କରିବା ସହ ତାଙ୍କ ଅନୁପସ୍ଥିତି ଆପ୍ କର୍ମୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଛି ବୋଲି କହିଛନ୍ତି।

ସେ କହିଛନ୍ତି, ‘ଆପ୍ ର ସମସ୍ତ ନେତା ଦୃଶ୍ୟମାନ ହେଉଛନ୍ତି। ଆତିଶୀ ଓ ଅନ୍ୟମାନେ ଖୁବ୍ ସକ୍ରିୟ ଅଛନ୍ତି। ରାଘବ ଚଢ଼ା ଦଳର ଚେହେରା ଏବଂ ଅତ୍ୟନ୍ତ ବୁଦ୍ଧିମାନ ହୋଇଥିବାରୁ ତାଙ୍କ ଅନୁପସ୍ଥିତିକୁ ଦଳୀୟ କର୍ମୀମାନେ ଅନୁଭବ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆଜିର ଦୁନିଆରେ ଦୂରତା ଆଉ ଯୋଗାଯୋଗରେ ବାଧକ ନୁହେଁ। ଆଶ୍ଚର୍ଯ୍ୟର କଥା ହେଉଛି, ଲଣ୍ଡନରେ ଥାଇ ମଧ୍ୟ ଚଢ଼ା କୌଣସି ମନ୍ତବ୍ୟ ଦେଇନାହାନ୍ତି। ସେ ସହଜରେ ଏକ ଭିଡିଓ ରେକର୍ଡ କରି ପାର୍ଟି ସହ ନିଜର ବାର୍ତ୍ତା ସେୟାର କରିପାରିଥାନ୍ତେ। କିନ୍ତୁ ସେ ଏବେ ସମ୍ପୂର୍ଣ୍ଣ ନିଖୋଜ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେଜ୍ରିଓ୍ଵାଲଙ୍କ ଶିଷ୍ୟ ଭାବେ ପରିଚିତ ଚଢ଼ା ଏବେ ତାଙ୍କ ପତ୍ନୀ ପରିଣୀତି ଚୋପ୍ରାଙ୍କ ସହ ଲଣ୍ଡନରେ ଅଛନ୍ତି ଏବଂ ତାଙ୍କର ଆଖି ଅପରେସନ ହୋଇଥିବା ସୂଚନା ରହିଛି।

ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହେବା ପରେ କେଜ୍ରିୱାଲ ଏପ୍ରିଲ ୧ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଅଛନ୍ତି । ମାର୍ଚ୍ଚ ୨୧ ରେ ତାଙ୍କୁ ଦିଲ୍ଲୀରେ ଥିବା ତାଙ୍କ ସରକାରୀ ବାସଭବନରୁ ଗିରଫ କରାଯାଇଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ଅବକାରୀ ନୀତି ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି ଆଖ୍ୟା ଦେଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରି ଦାବି କରିଛନ୍ତି ଯେ ତଦନ୍ତକାରୀ ଏଜେନ୍ସି ବିଜେପି ପ୍ରଭାବରେ ଆପ୍କୁ ଶେଷ କରିବାକୁ ଚେଷ୍ଟା କରୁଛି।

Leave A Reply

Your email address will not be published.