ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଭାରତୀୟ ବିମାନର ଉଡାଣ ଉପରେ ରୋକ୍ ଲଗାଇଛି । କିନ୍ତୁ ଦିଲ୍ଲୀରୁ ଦୁବାଇ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସ୍ପାଇସ ଜେଟର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାପରେ ପାକିସ୍ତାନର କରାଚି ବିମାନବନ୍ଦର କର୍ତ୍ତୃପକ୍ଷ ମାନବୀୟ ଦୃଷ୍ଟିକୋଣରୁ ଏହି ଭାରତୀୟ ବିମାନକୁ ଅବତରଣ କରିବାକୁ ସୁଯୋଗ ଦେଇଛନ୍ତି। ଯେଉଁଥିପାଇଁ ଆକାଶ ମାର୍ଗରେ ଗୋଟିଏ ବଡ ଦୁର୍ଘଟଣା ବର୍ତ୍ତିଯାଇଛି ବୋଲି କୁହାଯାଉଛି। ଆଉ ଏପରି କରି ଶତ୍ରୁ ଦେଶ ପାକିସ୍ତାନ ପୁଣିଥରେ ପ୍ରଶଂସାର ପାତ୍ର ହୋଇଛି।
ବିମାନର ଇନ୍ଧନ ଇଣ୍ଡିକେଟର ବା ସୂଚକରେ ତ୍ରୁଟିପୂର୍ଣ୍ଣ ବା ଗଡବଡ ଥିବା ଜଣାପଡିଥିଲା। ଏହାପରେ ସ୍ପାଇସଜେଟର ପାଇଲଟ ଜରୁରୀକାଳୀନ ଭାବେ ପାକିସ୍ତାନର କରାଚି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲା । ଆଉ ମାନବୀୟ ଦୃଷ୍ଟିକୋଣରୁ ବିମାନଟିକୁ ଅବତରଣ କରିବାକୁ ଅନୁମତି ଦେଇଥିଲେ କରାଚି ବିମାନ ବନ୍ଦର କର୍ତ୍ତୃପକ୍ଷ । ଭାରତର ଡିଜିସିଏର ଅଧିକାରୀ ଏହି ସୂଚନା ଦେଇଛନ୍ତି।
ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନଟି ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାଉଥିଲା । ମଝି ଆକାଶରେ ଇନ୍ଧନ ମିଟରରେ ହଠାତ ଦେଖାଦେଇଥିଲା ଇନ୍ଧନ ଶେଷ ହେବାକୁ ଆଉ କମ୍ ସମୟ ରହିଛି । ତେଣୁ ବିମାନଟି କରାଚି ମୁହାଁ ନେଇଥିଲେ ପାଇଲଟ । ତେବେ କରାଚି ବିମାନ ବନ୍ଦରରେ ଯେତେବେଳେ ଏନେଇ ଯାଞ୍ଚ କରାଗଲା ସେତେବେଳେ ଟ୍ୟାଙ୍କରି ସେମିତି କୌଣସି ଲିକ୍ ହୋଇଥିବା ନେଇ ଜଣାପଡିନାହିଁ ।
ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ପିସିସିଏ) ର ଜଣେ ଅଧିକାରୀ ସୁନିଶ୍ଚିତ କରିଛନ୍ତି ଯେ ସ୍ପାଇସଜେଟ ବିମାନ ଦୁବାଇ ଅଭିମୁଖେ ନୂଆଦିଲ୍ଲୀରୁ ଛାଡିବା ପରେ ବୈଷୟିକ ତ୍ରୁଟି ପାଇଁ କରାଚିରେ ବିମାନଟି ଜରୁରୀକାଳୀନ ଅବତରଣ କରିଛି। ମାନବିକତା ଭିତ୍ତିରେ ଅବତରଣ କରିବାକୁ ଅନୁମତି ଦିଆଯାଇଥିଲା ବୋଲି ପିସିଏ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ବିମାନରେ ପ୍ରାୟ ୧୦୦ ଜଣ ଯାତ୍ରୀ ଥିଲେ ମଧ୍ୟ ବିମାନରୁ ଓହ୍ଲାଇବାକୁ ସେମାନଙ୍କୁ ଅନୁମତି ଦିଆଯାଇ ନାହିଁ କାରଣ ଅଧିକାରୀମାନେ ବୈଷୟିକ ତ୍ରୁଟି ଦେଖାଇଛନ୍ତି।
ତେବେ ଏହି ସମୟରେ ବିମାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ନଥିଲା। ଯାତ୍ରୀ ହଠାତ ପ୍ରତିକ୍ରିୟା ପ୍ରକାଶ କରିପାରନ୍ତି ଅନ୍ୟପଟେ ପାକିସ୍ତାନରେ ଅବତରଣ କରୁଥିବାରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇନଥିଲା ବୋଲି ସୂଚନା ରହିଛି। ତେବେ ଏହି ସମୟରେ ଯାତ୍ରୀଙ୍କୁ ରିଫ୍ରେଶ ହେବାକୁ କୁହାଯାଇଥିଲା। ଏବେ ଆଉ ଏକ ବିମାନ ଯୋଗେ ଯାତ୍ରୀମାନଙ୍କୁ ଦୁବାଇକୁ ପଠାଯିବ।
Comments are closed.