ନୂଆଦିଲ୍ଲୀ: ଫେବ୍ରୁଆରୀ ୫ତାରିଖରେ ଭୋଟ୍ ଦେବ ଦିଲ୍ଲୀ। ୮ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ କମିଶନ ଦିଲ୍ଲୀର ୭୦ ସିଟ୍ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଆହୁରି ବଢିଛି ନିର୍ବାଚନୀ ତାତି । ୧କୋଟି ୫୫ଲକ୍ଷ ଭୋଟର ନେତାଙ୍କ ଭାଗ୍ୟର ନିଷ୍ପତ୍ତି ନେବେ । ଦୁର୍ନୀତି ଅଭିଯୋଗରେ ଯୁଝୁଥିବା ଆମ ଆଦମୀ ପାର୍ଟି ଲଗାତର ତୃତୀୟ ଥର ପାଇଁ ଦିଲ୍ଲୀ ଦଖଲ କରିବାକୁ ଉଦ୍ୟମ କରୁଛି । ବିଜେପି ଆପର ବିଜୟ ହ୍ୟାଟ୍ରିକରେ ବ୍ରେକ୍ ଲଗାଇବାକୁ ଜୋର୍ ଲଗାଇଛି । ସେପଟେ କଂଗ୍ରେସ ବି ଲଢେଇରେ ଜବରଦସ୍ତ ଏଣ୍ଟ୍ରି ନେଇଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହିଁ ତିନି ପ୍ରମୁଖ ଦଳ ବିଜୟ ରଣନୀତି ପ୍ରସ୍ତୁତ କରିବା ସହ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ତେବେ ଦିଲ୍ଲୀ ନିର୍ବାଚନ ପ୍ରଚାରରେ ଏଥର ଏଆଇ ପାଲଟିଛି ଅସ୍ତ୍ର ।
ସୋସିଆଲ୍ ମିଡିଆରେ ଦିଲ୍ଲୀ ଲଢେଇ
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହିଁ ଦିଲ୍ଲୀର ବିଭିନ୍ନ ବିଧାନସଭା ସିଟରେ ପ୍ରଚାର ଜମିଥିଲା। ଏବେ ଆହୁରି ଜୋରଦାର ହେବ କ୍ୟାମ୍ପେନିଂ । ତେବେ କେବଳ ସଭା, ଶୋଭାଯାତ୍ରା, ରାଲି ନୁହେଁ ସୋସିଆଲ୍ ମିଡିଆ ପାଲଟିଛି ନିର୍ବାଚନୀ ସଂଗ୍ରାମର ଅସ୍ତ୍ର । ଏକ୍ସ, ଫେସବୁକ, ଇନଷ୍ଟାଗ୍ରାମ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ୟୁଜର୍ସଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି ସବୁ ଦଳ । କେତେବେଳେ ଫିଲ୍ମ, ଓ୍ବେବସିରିଜର ପୋଷ୍ଟରରେ ତ କେତେବେଳେ ମଜାଳିଆ ଅନ୍ଦାଜରେ ବିପକ୍ଷ ଦଳକୁ ଟାର୍ଗେଟ୍ କରୁଛନ୍ତି । ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ନୂଆ ଅସ୍ତ୍ର ହୋଇଛି ।
ଆପର ଆମ୍ବେଦରକରଙ୍କ ଏଆଇ ଭିଡିଓ
ଗତ ସଂସଦୀୟ ଅଧିବେଶନ ବେଳେ ବାବା ସାହେବ ଆମ୍ବେଦକରଙ୍କୁ ନେଇ ରାଜନୀତି ଜୋରଦାର ହୋଇଥିଲା । ଅମିତ ଶାହାଙ୍କ ବୟାନକୁ ନେଇ ସଂସଦରୁ ସଡ଼କ ବିକ୍ଷୋଭ କରିଥିଲେ ବିରୋଧୀ । ବିବାଦ ବେଳେ ଦିଲ୍ଲୀ ସରକାରରେ ଥିବା ଆମ ଆଦମୀ ପାର୍ଟି ପକ୍ଷରୁ ଏକ ଏଆଇ ଭିଡିଓ ଜାରି କରାଯାଇଥିଲା । ଏଥିରେ ଆମ୍ବେଦକରଙ୍କ ଆଶୀର୍ବାଦ ନେଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଭିଡିଓରେ କେଜ୍ରିଓ୍ବାଲ କହୁଛନ୍ତି, ଆମ୍ବେଦକର ତାଙ୍କୁ ଶକ୍ତି ଦିଅନ୍ତୁ ଯେମିତି ସେ ସମ୍ବିଧାନର ଅପମାନ କରୁଥିବା ଲୋକଙ୍କ ବିରୋଧରେ ଲଢିପାରିବେ । ଭିଡିଓକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଲା । ଖାଲି ସେତିକି ନୁହେଁ ଆପ୍ ପକ୍ଷରୁ ଜାରି ଆଉ ଏକ ଏଆଇ ଭିଡିଓରେ କେଜ୍ରିଓ୍ବାଲଙ୍କୁ ସର୍ବକାଳୀନ ମହାନ ନେତା ବା ଗୋଟ୍ ଦର୍ଶାଯାଇଥିଲା । ଏଆଇ ସହାୟତାରେ ପ୍ରସ୍ତୁତ ଭିଡିଓରେ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀର ପୁଅ କୁହାଯାଇଥିଲା ।
ବିଜେପିର ପଞ୍ଚାୟତ ଭିଡିଓ
ଏଆଇ ଭିଡିଓ ମାଧ୍ୟମରେ ଆପକୁ ଟାର୍ଗେଟ୍ କରିଛି ବିଜେପି। ଲୋକପ୍ରିୟ ଓ୍ବେବ ସିରିଜ ପଞ୍ଚାୟତର ଏକ ସିନକୁ ନେଇ ଏଆଇ ଭିଡିଓ ପ୍ରସ୍ତୁତ କରିଛି ବିଜେପି । ଭିଡିଓରେ ମୂଳ ଅଡିଓ ବଦଳାଇ ଦିଲ୍ଲୀ ସଂଜୀବନୀ ଯୋଜନାକୁ ନେଇ ଆପକୁ ନିଶାନା କରିଛି ବିଜେପି । ଆପ ଯୋଜନା ଦ୍ବାରା ଲୋକଙ୍କ ସହ ଠକେଇ ହେଉଥିବା ନେଇ ବିଜେପିର ଇନଷ୍ଟାଗ୍ରାମର ଏହି ଭିଡିଓରେ ସନ୍ଦେଶ ଦିଆଯାଇଛି । ସେହିପରି ମନ୍ଦିର ପୂଜାରୀ ଓ ଗୁରୁଦ୍ବାର ଗ୍ରନ୍ଥିଙ୍କ ପାଇଁ ଆପର ଯୋଜନାକୁ ବି ଟାର୍ଗେଟ୍ କରିଛି ବିଜେପି । କେଜ୍ରିଓ୍ବାଲ ଓ ଅତିସୀଙ୍କର ଏଆଇ ଜେନେରେଟେଡ୍ ମୁହଁ ଦେଖାଇ ଯୋଜନାକୁ ନିର୍ବାଚନୀ ଜୁମଲା କହିଛି ବିଜେପି ।
ପଛରେ ପଡିନି କଂଗ୍ରେସ
ଦିଲ୍ଲୀରେ ତିନି ନମ୍ବର ଦଳ ପାଲଟିଥିବା କଂଗ୍ରେସ ଏଆଇ ପ୍ରଚାରରେ ଆଦୌ ପଛରେ ପଡିନି । ଦଳର ଇନଷ୍ଟାଗ୍ରାମ ପେଜରେ ଫିଲ୍ମ ସିନ୍ ଓ ଅଡିଓ ସହାୟତାରେ ଦିଲ୍ଲୀ ଆମ ଆଦମୀ ପାର୍ଟିକୁ ଜୋରଦାର ହମଲା କରୁଛି କଂଗ୍ରେସ । ଦଳ ପକ୍ଷରୁ ନାୟକ ଫିଲ୍ମର ଏକ ସିନ ଦ୍ବାରା ଜନତାଙ୍କୁ ଆପ ମିଛ ପ୍ରତିଶ୍ରୁତି ଦେଉଥିବା ନେଇ ଟାର୍ଗେଟ୍ କରାଯାଇଛି । କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ଏଆଇ ସହାୟତାରେ ଫେସ ମାସ୍କ, ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଓ ପୋଷ୍ଟର ଜରିଆରେ ପରସ୍ପରକୁ ଆକ୍ଷେପ କରୁଛନ୍ତି ରାଜନୈତିକ ଦଳ । ଫେବ୍ରୁଆରୀ ୫ରେ ଦିଲ୍ଲୀ ନିର୍ବାଚନ ହେବାକୁ ଥିବା ବେଳେ ଜନତାଙ୍କ ସମର୍ଥନ ହାସଲ କରିବାକୁ ଏଆଇକୁ ଅସ୍ତ୍ର କରିଛନ୍ତି ୩ପ୍ରମୁଖ ଦଳ ।