Latest Odisha News

BREAKING NEWS

ଜେଲରେ ଦ୍ବିତୀୟ ଥର ପାଇଁ ସିସୋଦିଆଙ୍କୁ ଜେରା, ଆଜି ଗିରଫ କରିପାରେ ଇଡି

ନୂଆଦିଲ୍ଲୀ: ସିବିଆଇ ପରେ ଆଜି ଇଡି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିପାରେ। ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ସୂଚନା ମିଳିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମଙ୍ଗଳବାର ଇଡି ଏହି ଦୁର୍ନୀତି ମାମଲାରେ ଜେରା କରିଥିଲା। ଏହାପରେ ଦ୍ବିତୀୟ ଥର ପାଇଁ ଗୁରୁବାର ଜେରା କରୁଛି।

ସିବିଆଇ ୨୬ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ସୋମବାର ଦିଲ୍ଲୀ କୋର୍ଟ ତାଙ୍କୁ ମାର୍ଚ୍ଚ ୨୦ ଯାଏ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ସିବିଆଇ ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଶୁଣାଣି ଶୁକ୍ରବାର ରହିଛି।

ଏହାପୂର୍ବରୁ ମଙ୍ଗଳବାର ଇଡି ଅଧିକାରୀମାନେ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ସିସୋଦିଆଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ତିହାର ଜେଲରେ ପହଞ୍ଚିଥିଲେ। ସିସୋଦିଆଙ୍କୁ ପଚରାଉଚରା ପାଇଁ ଇଡି କୋର୍ଟଙ୍କ ଅନୁମତି ନେଇଥିଲା।

ଯଦି ଇଡି ବୟାନ ରେକର୍ଡ ଭଳି ଅବକାରୀ ଦୁର୍ନୀତିରେ ସିସୋଦିଆଙ୍କ ସଂପୃକ୍ତି ଥିବା ନେଇ ଅନୁଭବ କରେ ତାହେଲେ ଗିରଫ କରିପାରେ। ତେବେ ଇଡି ପିଏମଏଲଏର ଧାରା ୧୯ ଅନୁଯାୟୀ ଇଡି ଅଭିଯୁକ୍ତମାନଙ୍କୁ ଗିରଫ କରିପରିବ।

ତେବେ ଆମ୍ ଆଦମୀ ପାର୍ଟି ତିହାର ଜେଲରେ ଥିବା ମନୀଷ ସିସୋଦିଆଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛି। ସେଠାରେ ସିସୋଦିଆଙ୍କୁ ହତ୍ଯା କରିବାକୁ ଯୋଜନା ହେଉଥିବା ଆପ୍ ଅଭିଯୋଗ କରିଛି। ଯାହାର ଜବାବରେ ବିଜେପି ସାଂସଦ ମନୋଜ ତିଓ୍ୱାରୀ କହିଛନ୍ତି, ଦିଲ୍ଲୀରେ ଜେଲ୍ ବିଭାଗ କେଜ୍ରିଓ୍ୱାଲ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ଏପରି ସ୍ଥିତିରେ ସିସୋଦିଆଙ୍କ ତିହାର ଜେଲରେ ହତ୍ୟା କରିବା ନେଇ ଆପ୍ ଯେଉଁ ଅଭିଯୋଗ ଆଣୁଛି ତାହା ଆପ୍ ସରକାରର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି। ଆଉ ନିଜେ କେଜ୍ରିଓ୍ୱାଲ ଏପରି ଏକ ଥିଓରୀ ତିଆରି କରି ସିସୋଦିଆଙ୍କୁ ବାଟରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରୁଥାଇପାରନ୍ତି ବୋଲି ତିଓ୍ୱାରୀ କହିଛନ୍ତି।

ସେପଟେ ଆପର ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଦିଲ୍ଲୀ ତିହାର ଜେଲର ଅଧିକାରୀ କହିଛନ୍ତି ଯେ ମନୀଷ ସିସୋଦିଆଙ୍କୁ ତିହାର ସେଣ୍ଟ୍ରାଲ ଜେଲ ନମ୍ବର ୱାର୍ଡରେ ରଖାଯାଇଛି। ଯେଉଁଥିରେ ସର୍ବନିମ୍ନ ସଂଖ୍ୟକ କଏଦୀ ଅଛନ୍ତି। ସେଭଳି କୈଣସି ହାର୍ଡକୋର ଅପରାଧୀ ନାହାଁନ୍ତି।

Leave A Reply

Your email address will not be published.