Latest Odisha News

BREAKING NEWS

କଂଗ୍ରେସ ଜାତୀୟ ଦଳ ହୋଇ ନାହିଁ, ଆଭିମୁଖ୍ୟ ସ୍ପଷ୍ଟ କରୁ ଦଳ: କେସିଆରଙ୍କ ଝିଅ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ୍ ନେତ୍ରୀ କେ କବିତା ଗୁରୁବାର କହିଛନ୍ତି ଯେ କଂଗ୍ରେସ ଆଉ ଜାତୀୟ ଦଳ ହୋଇ ନାହିଁ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଛନ୍ଦି ହୋଇଥିବା ଏହି ନେତ୍ରୀ ଗତକାଲି ରାତିରେ ଦିଲ୍ଲୀ ପହଞ୍ଚିଥିଲେ। ଆଜି ତଦନ୍ତକାରୀ ସଂସ୍ଥା ଇଡି ଆଗରେ ହାଜର ହେବାର ଥିଲା। କିନ୍ତୁ ୧୧ ତାରିଖରେ ହାଜର ହେବେ କହି ସମୟ ଲୋଡିଛନ୍ତି ଯାହାକୁ ଅନୁମିତି ମିଳିଥିବା ସୂଚନା ରହିଛି।

କେ. କବିତା ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇ କହିଛନ୍ତି, କଂଗ୍ରେସ ଆଉ ଜାତୀୟ ଦଳ ନୁହେଁ। କଂଗ୍ରେସ କିନ୍ତୁ ଅହଙ୍କାରରେ ରହିଛି। କେବେ ବାସ୍ତବସ୍ଥିତି ବୁଝିବ ଜଣାନାହିଁ। ଏବେ କିନ୍ତୁ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି ହେବାକୁ ପଡ଼ିବ। କିନ୍ତୁ କଂଗ୍ରେସର ଆଭିମୁଖ୍ୟ କଣ ଏହା ପଚାରିବାକୁ ହେବ ବୋଲି ଗଣମାଧ୍ଯମକୁ କହିଛନ୍ତି।

ନିକଟରେ ବିହାର ମୁଖ୍ୟମନ୍ତ୍ରୀ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳକୁ ଏକାଠି ହେବାକୁ ଆହ୍ୱାନ କରିଥିଲେ। ଯଦି ବିରୋଧୀ ଏକାଠି ହେବେ ତାହେଲେ ତାହେଲେ ବିଜେପି ୧୦୦ରୁ ଅଧିକ ଆସନ ଆସନ୍ତା ନିର୍ବାଚନରେ ଜିତିପାରିବ ନାହିଁ ବୋଲି କହିଥିଲେ। ଏହାପରେ ମମତା ବାନାର୍ଜୀ କିନ୍ତୁ କହିଥିଲେ ତାଙ୍କ ଦଳ ଟିଏମସି ଆଗାମୀ ନିର୍ବାଚନରେ ଏକାକୀ ନିର୍ବାଚନ ଲଢ଼ିବ। କୌଣସି ମେଣ୍ଟରେ ସାମିଲ ହେବ ନାହିଁ। ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଚେନ୍ନାଇର ଏକ ରାଲିରେ କହିଛନ୍ତି ଯେ ସମସ୍ତ ସମଭାବାପନ୍ନ ଦଳ ଏକାଠି ହୋଇଛନ୍ତି।

ନିକଟରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆମ୍ ଆଦମୀ ପାର୍ଟି ଓ ଶରଦ ପାଓ୍ୱାରଙ୍କ ଏନସିପି ସମେତ ୮ଟି ରାଜନୈତିକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ମିଳିତ ଚିଠି ଲେଖି କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।

ଆପ୍ ନେତା ସୌରଭ ଭରଦ୍ୱାଜ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଜାତୀୟ ପ୍ରସଙ୍ଗ ଆସିଲେ କଂଗ୍ରେସ ଗାଏବ ହୋଇଯାଏ। ରାହୁଲ ଗାନ୍ଧୀ ଓ ରବର୍ଟ ଭଦ୍ରାଙ୍କୁ ଜେଲ୍ ପଠାଇବେ ବୋଲି ବିଜେପିର ଦାବି ଆମେ ଶୁଣିଥାଉ, କିନ୍ତୁ ଏହା କେବଳ ବାକ୍ ଯୁଦ୍ଧ।

Leave A Reply

Your email address will not be published.