Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ସମସ୍ତ ନିଜସ୍ୱ ଯୋଜନା ଦେବାଳିଆ ଓ ପ୍ରଚାର ସର୍ବସ୍ୱ: ବିଜେପି

ଭୁବନେଶ୍ୱର: ଏକ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ବିକାଶ ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ମିଳିତ ଦାୟିତ୍ୱ ରହିଛି । କିନ୍ତୁ ଓଡ଼ିଶାରେ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା, ଯେଉଁ ସବୁ ଯୋଜନାକୁ ନେଇ ଦିନେ ରାଜ୍ୟ ସରକାର ଓଡ଼ିଶା ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲେ ସେ ସବୁ ଆଜି ଦେବାଳିଆ ଓ କେବଳ ପ୍ରଚାର ସର୍ବସ୍ୱ ହୋଇଛି । ଏମିତିକି ବିଜୁ ବାବୁଙ୍କ ନାଁରେ ହୋଇଥିବା ଯୋଜନା ଗୁଡିକ ମଧ୍ୟ ବଜେଟରେ ଟୋକେନ ରାଶିରେ ସୀମିତି ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

BjdElectrycity

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ୧୩ଟି ନିଜସ୍ୱ ଯୋଜନାର ସ୍ଥିତିକୁ ନେଇ ଶ୍ରୀ ବିଶ୍ୱାଳ ପ୍ରଶ୍ନ ଉଠାଇଛନ୍ତି । ସାଧାରଣ ଲୋକମାନଙ୍କର ୭ଟି ମୌଳିକ ଆବଶ୍ୟକତା ଯଥା ପକ୍କାଘର, ଚାଉଳ, ବିଜୁଳି, ପିଇବା ପାଣି, ରାସ୍ତା, ଯୁବକମାନଙ୍କର ଆତ୍ମନିଯୁକ୍ତି ଆଦି ପ୍ରସଙ୍ଗରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଜନାର ତୁଳନାତ୍ମକ ଚିତ୍ର ଦେଖାଇ ବିଜେପି ଅଭିଯୋଗ କରିଛି ଯେ ଓଡ଼ିଶାରେ ଯାହାବି ହେଉଛି ସବୁ କିଛି କେନ୍ଦ୍ର ସରକାରଙ୍କ ଯୋଜନାରେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ୬ ବର୍ଷ ଭିତରେ ୧୮ ଲକ୍ଷ ୨୮ ହଜାରରୁ ଅଧିକ ପକ୍କାଘର ନିର୍ମାଣ ସରିଲାଣି, ଆଉ ୯ ଲକ୍ଷ ୫୮ ହଜାର ପକ୍କାଘର ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ଆବଣ୍ଟିତ କରିଛନ୍ତି । ଯେଉଁଠି ରାଜ୍ୟ ସରକାରଙ୍କ ଯୋଜନା ବିଜୁ ପକ୍କା ଘରରେ ବିଗତ ତିନି ବର୍ଷରେ ମାତ୍ର ୩୩୦୯ଟି ଘର ନିର୍ମାଣ ହୋଇଛି ବୋଲି ବିଧାନସଭାରେ ସରକାର କହଛନ୍ତି ।

୨୦୧୯ ସୁଦ୍ଧା ରାଜ୍ୟରେ ଆଉ କେହି କଚ୍ଚା ଘରେ ରହିବେନି ବୋଲି ମୁଖ୍ୟମନ୍ତ୍ରୀ ୨୦୧୪ରେ କହିଥିଲୋ କୁଆଡ଼େ ଗଲା ସେହି ପ୍ରତିଶ୍ରୁତି ? କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିପୁଳ ସଂଖ୍ୟାରେ ଘର ନିର୍ମାଣ ହେଉଥିବା ବେଳେ ବିଜୁ ପକ୍କାଘର ଯୋଜନାରେ କାହିଁକି ନିର୍ମାଣ ହୋଇପାରୁନାହିଁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୩ କୋଟି ୨୫ ଲକ୍ଷ ଲୋକ ମାସକୁ ୫ କିଲୋ ଖାଦ୍ୟାନ୍ନ ପାଉଥିବା ବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ୮ ଲକ୍ଷ ଲୋକ ଲାଭାନ୍ୱିତ ହେଉଛନ୍ତି । ଯେଉଁ ବିଜୁ ଜନତା ଦଳ ମାସକୁ ୧୦ କିଲୋ ଚାଉଳ ଦିଆଯାଉ ବୋଲି ବାରମ୍ବାର ଦାବି କରୁଥିଲା ରାଜ୍ୟ ବଜେଟରେ ୨୬ ହଜାର କୋଟିର ବଳକା ରାଶି ଥିବା ସତ୍ୱେ ରାଜ୍ୟ ସରକାର ତାହା କରିଲେ ନାହିଁ । ଏହା ଓଡିଶାର ଗରିବ ଲୋକଙ୍କ ପ୍ରତି ବିଜେଡିର ପ୍ରତାରଣା ନୁହେଁ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

ଓଡ଼ିଶାରେ କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ କରଣ ଯୋଜନା ରେ ସମସ୍ତ ରେଭେନ୍ୟୁ ଗାଁ ଓ ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ୫୨ ହଜାର ପରିବାରଙ୍କୁ ମାଗଣା ବିଜୁଳି ସଂଯୋଗ ଯୋଗାଇଦେବାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ରେ ରାଜ୍ୟରେ ଥିବା ନନ ରେଭିନ୍ୟୁ ଭିଲେଜ ଯଥା ପଡ଼ା ଗାଁ, ହାମଲେଟରେ ରହୁଥିବା ପରିବାରଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦେବେ ବୋଲି ସରକାର କହିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କେତେ ପଡ଼ା ଗାଁକୁ ବିଜୁଳି ସଂଯୋଗ ହେଲା ରାଜ୍ୟ ସରକାର କହିବେ କି ? କାହିଁକି ଆଜିବି ଅନେକ ପଡା ଗାଁ, ହାମଲେଟରେ ବିଜୁଳି ସଂଯୋଗ ପହଂଚିପାରିନି ତାର ଉତର ରାଜ୍ୟ ସରକାର ଦେବେ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨୦୧୭ ରୁ ୨୦୨୦ ଭିତରେ ମାତ୍ର ୩ ବର୍ଷରେ ଓଡିଶାରେ ୨୦ ହଜାର ୫୬୮ କିମି ନିର୍ମାଣ ହୋଇଛି । ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆରମ୍ଭ ବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ୧୦ ବର୍ଷରେ ୧୦ ହଜାର କିମିର ରାସ୍ତା ନିର୍ମାଣ କରିବେ ବୋଲି । ହେଲେ ୮ ବର୍ଷରେ ନିର୍ମାଣ କରିଛନ୍ତି ମାତ୍ର ୩ ହଜାର ୯ ଶହ କିମିର ରାସ୍ତା । ଅର୍ଥାତ ବର୍ଷକୁ ୧ ହଜାର କିମି ରାସ୍ତା ଯାଗାରେ ହେଉଛି ମାତ୍ର ୪୦୦ ରୁ ୫୦୦ କିମି । କାହିଁକି ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ ମନ୍ଥର ହୋଇଯାଇଛି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

ଜଳ ଜୀବନ ମିଶନ ନରେନ୍ଦ୍ର ମୋଦିଙ୍କର ସରକାର ଆରମ୍ଭ କରିବା ପୁର୍ବରୁ ଓଡ଼ିଶାରେ ଗ୍ରାମାଞ୍ଚଳରେ ମାତ୍ର ୩ ପ୍ରତିଶତ ପରିବାରଙ୍କ ପାଖରେ ଟ୍ୟାପ ଯୋଗେ ପିଇବା ପାଣି ଯୋଗାଇବାର ବ୍ୟବସ୍ଥା ଥିଲା । ଏବେ ଓଡିଶାରେ ଗ୍ରାମାଂଚଳରେ ୫୭ ପ୍ରତିଶତ ପରିବାରଙ୍କ ପାଖରେ ଟ୍ୟାପ ଯୋଗେ ପିଇବା ପାଣି ମିଳୁଛି । ରାଜ୍ୟ ସରକାର ଏକ ଯୋଜନା ଆରମ୍ଭ କରିଥିଲେ ଯାହାର ନାଁ ହେଉଛି ବସୁଧା । ରାଜ୍ୟ ସରକାର କହିବେ କି ବସୁଧା ଯୋଜନାରେ କେତେ ପରିବାରଙ୍କ ପାଖରେ ପିଇବା ପାଣି ପହଂଚିଛି ? ବସୁଧା ଯୋଜନା କେବଳ ଜଳ ଜୀବନ ମିଶନର ନାଁକୁ ହାଇଜ୍ୟାକ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଦେଶରେ ଯୁବଶକ୍ତିମାନଙ୍କର ସ୍କିଲ ଡେଭଲପମେଂଟ ସୁନିଶ୍ଚିନ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଓଡିଶାରେ ମୋଟ ୮ ଲକ୍ଷ ଯୁବକ ଯୁବତୀମାନଙ୍କୁ ତାଲିମ ଦିଆଯାଇଛି । ଓଡିଶା ସରକାର ଏକ ଯୋଜନା କରିଥିଲେ ଯାହାର ନାଁ ହେଉଛି ବିଜୁ ଆତ୍ମ ନିଯୁକ୍ତି ଯୋଜନା । କେତେ ଜଣ ଯୁବକ ଏହି ଯୋଜନାରେ ଆତ୍ମ ନିଯୁକ୍ତି ପାଇଛନ୍ତି ଓ କାହିଁକି ସେହି ଯୋଜନା ଆଜି ଶୀତଳ ଭଣ୍ଡାରରେ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନାରେ ଓଡିଶାରେ ୧୪ ଲକ୍ଷ ବାଳିକାଙ୍କର ଆର୍ଥୀକ ସମୃଦ୍ଧି ପାଇଁ କେନ୍ଦ୍ର ସରକାର ସହାୟତା ଦେଉଛନ୍ତି । କିନ୍ତୁ କୁଆଡେ ଗଲା ରାଜ୍ୟ ସରକାରଙ୍କର ବିଜୁ କନ୍ୟା ରତ୍ନ ଯୋଜନା ବୋଲି ଅନିଲ କହିଛନ୍ତି । ୨୦୧୯ ନିର୍ବାଚନ ବେଳେ ଆରମ୍ଭ ହୋଇଥିବା ବିଜୁ ଯୁବ ବାହିନୀ ଯୋଜନାର ସ୍ଥିତି ଆଜି କେଉଁଠି ?

ଫନି ହେଉ କି କରୋନା ହେଉ କାହିଁ ଜଣେ ହେଲେ ବି ବିଜୁ ଯୁବ ବାହିନୀର ସ୍ୱେଛାସେବୀମାନେ କେଉଁଠି ରିଲିଫ ପ୍ୟାକେଟଟିଏ ବି ଦେବା ସାଧାରଣ ଲୋକ ଦେଖିଲେ ନାହିଁ । କୁଆଡେ ଗଲା ବିଜୁ ଗାଡି ଚାଳକ ବୀମା ଯୋଜନା? କୁଆଡେ ଗଲା ଆଳୁ ମିଶନ ଓ ପିଆଜ ମିଶନ । କେତେ ନୁଆ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେଲା ଓ ଆଳୁ, ପିଆଜ ଉପ୍ତାଦନ କେତେ ବଢିଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ଗଣମାଧ୍ୟମ ସହ ପ୍ରମୁଖ ସୁଜିତ ଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.