Latest Odisha News

BREAKING NEWS

ତୃତୀୟ ଥର ପାଇଁ ସ୍ଥଗିତ ହେଲା ଦିଲ୍ଲୀ ମେୟର ନିର୍ବାଚନ: ସୁପ୍ରିମକୋର୍ଟ ଯିବ ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନକୁ ଦୁଇ ମାସ ବିତିଯାଇଥିଲେ ବି ମେୟର କି ଡେପୁଟି ମେୟର ନିର୍ବାଚନ ହୋଇପାରିଲା ନାହିଁ। ମେୟର ନିର୍ବାଚନ ଆୟୋଜନ ପୂର୍ବରୁ ଦୁଇଥର ଫେଲ୍ ମାରିଥିବା ବେଳେ ସୋମବାର ତୃତୀୟ ଥର ଫେଲ୍ ମାରିଛି। ଆଜି(ଫେବ୍ରୁଆରୀ-୬) ପୁଣିଥରେ ସଦନରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆମ୍‌ ଆଦ୍‌ମୀ ପାର୍ଟିର କାଉନସେଲର।

ସଦନରେ କାଉନସେଲରମାନଙ୍କର ପ୍ରବଳ ହଟ୍ଟୋଗଳ ଯୋଗୁ ସଭାପତି ତୃତୀୟ ଥର ପାଇଁ ମେୟର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ବାରମ୍ବାର ଏଭଳି ପରିସ୍ଥିତି ପାଇଁ ଆପ ଅସନ୍ତୋଷ ପ୍ରକାଶ କରି ପୁଣିଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ଘୋଷଣା କରିଛି। କୋର୍ଟଙ୍କ ତତ୍ୱାବଧାନରେ ନିର୍ବାଚନ ହେଉ ବୋଲି ଆପ୍ ଦାବି କରିଛି।

ଗତବର୍ଷ ଦିଲ୍ଲୀ ନଗର ନିଗମ ନିର୍ବାଚନ ହୋଇଥିବା ବେଳେ ଏଥିରେ ଆମ୍ ଆଦମୀ ପାର୍ଟିକୁ ବହୁମତ ମିଳିଛି। ୨୫୦ ବୋର୍ଡରୁ ଆପ୍ ୧୩୪ରେ ବିଜୟ ଲାଭ କରିଥିବା ବେଳେ ବିଜେପିକୁ ୧୦୪ ଓ କଂଗ୍ରେସ ମାତ୍ର ୯ଟି ଆସନ ମିଳିଥିଲା।

ଏମ୍‌ସିଡି ଅଧିନିୟମ୧୯୫୭ ଅନୁସାରେ, ନିର୍ବାଚନ ସରିବା ପରେ ନଗର ନିଗମର ପ୍ରଥମ ବୈଠକରେ ମେୟର ଓ ଡେପୁଟି ମେୟର ନିର୍ବାଚନ ହେବାକଥା। ହେଲେ ଏମ୍‌ସିଡି ନିର୍ବାଚନକୁ ଦୁଇ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ମେୟର ନିର୍ବାଚିତ ହୋଇପାରୁ ନାହାନ୍ତି।

ଜାନୁଆରୀ ୨୪ ତାରିଖରେ ଆପ୍-ବିଜେପି କାଉନସେଲରମାନଙ୍କର ହଟ୍ଟଗୋଳ ଯୋଗୁ ମେୟର ନିର୍ବାଚନକୁ ପେବ୍ରୁଆରୀ ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଆଜି ମେୟର, ଡେପୁଟି ମେୟର ଓ ଏମ୍ସିଡି ସ୍ଥାୟୀ ସମିତିର ୬ ସଦସ୍ୟ ପାଇଁ ନିର୍ବାଚନ ହୋଇଥାନ୍ତା। ହେଲେ ପୁଣି ଉଭୟ ପକ୍ଷର ଆରୋପ-ପ୍ରତ୍ୟାରୋପ ଓ ହଟ୍ଟଗୋଳ ଯୋଗୁ ନିର୍ବାଚନକୁ ସ୍ଥଗିତ ରଖିବାକୁ ପଡ଼ିଛି। ଏହା ପୂର୍ବରୁ ଜାନୁଆରୀ ୬ ଓ ୨୪ ତାରିଖରେ ମଧ୍ୟ ନିର୍ବାଚନ ସ୍ଥଗିତ ରଖାଯାଇଛି।

ସୂଚନା ଥାଉକି, ମେୟର ନିର୍ବାଚନ ପାଇଁ ବିଜେପି ରେଖା ଗୁପ୍ତାଙ୍କୁ ପ୍ରାର୍ଥିନୀ କରିଛି। ସେହିପରି ଆପ୍‌ ପକ୍ଷରୁ ଶୈଳୀ ଓବରୟଙ୍କୁ ପ୍ରାର୍ଥିନୀ କରାଯାଇଛି।

Leave A Reply

Your email address will not be published.