Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ନଚେତ ଇସ୍ତଫା ଦିଅନ୍ତୁ-ପିସିସି ସଭାପତି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏତେ ବଡ ଘଟଣାରେ ଲୋକଙ୍କୁ ଅନ୍ଧାରରେ ରଖି କ୍ରାଇମବ୍ରାଞ୍ଚ କାହାଣୀ ଶୁଣାଉଛି । ଗୃହମନ୍ତ୍ରାଳୟ ନିଜ ହାତରେ ଥିଲେ ବି ମୁଖ୍ୟମନ୍ତ୍ରୀ ଚୁପ ରହିଛନ୍ତି । ଯଦି ସତ୍ୟ ସାମ୍ନାକୁ ଆଣି ନ ପାରିବେ, ନିରବ ରହିବେ ତେବେ ଗୃହ ବିଭାଗକୁ ନିଜ ହାତରେ ଧରି ଲାଭ କ’ଣ ? ବରଂ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦିଅନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ପିସିସି ସଭାପତି ଆଜି ସାମ୍ବାଦିକମାନଙ୍କୁ  କହିଛନ୍ତି, ତଦନ୍ତ ନାଁରେ ଲୋକଙ୍କୁ ଅନ୍ଧାରରେ ରଖାଯାଉଛି । କାହାଣୀ କୁହାଯାଉଛି । କେତେବେଳେ କହୁଛନ୍ତି ଜଗନ୍ନାଥ ଭରସା । କେତେବେଳେ କହୁଛନ୍ତି ପାଇଖାନା ଟାଙ୍କରୁ କାଗଜ ବାହାରିଛି । ଶୁଖା ହୋଇଛି, ଶୁଖିଲା ପରେ ଭେରଫିକେଶନ ପାଇଁ ପଠାଯିବ ।  ପିସିସି ସଭାପତି  କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ଏକ ବଡ ଧରଣର ଷଡଯନ୍ତ୍ର ରହିଛି। ଏହାର ଉନ୍ମୋଚନ କରିବା ପାଇଁ ସରକାର ସମୟ ନିଅନ୍ତୁ । ଉଚ୍ଚସ୍ତରୀୟ ବୈଠକ ବସୁ । SIT ତଦନ୍ତ କରୁ ।  କିନ୍ତୁ ଠିକ କଥା ଲୋକଙ୍କୁ ଜଣାଅ ବୋଲି ସେ ଦାବି କରିଛନ୍ତି।

କିନ୍ତୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀରବତାକୁ ସେ କଡ଼ା ସମାଲୋଚନା କରିଛନ୍ତି ।    ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଅଛି । ତଥାପି କାହିଁକି ସେ ଚୁପ ରହିଛନ୍ତି ? ସାଢେ ୪ କୋଟି ଲୋକ ଚାହିଁ ବସିଛନ୍ତି ଘଟଣା କ’ଣ ଜାଣିବାକୁ । ସମସ୍ତଙ୍କ ମନରେ ପ୍ରଶ୍ନ, ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଯଦି ସରକାର ସୁରକ୍ଷା ଦେଇ ପାରିଲେନି ତେବେ ସାଧାରଣ ଲୋକଙ୍କୁ କି ସୁରକ୍ଷା ଦେବେ ?

ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସଧାରଣଙ୍କ ପାଖରେ ସତ୍ୟ ଘଟଣାକୁ ରଖନ୍ତୁ । ଗୃହ ବିଭାଗର ମୁଖ୍ୟ ହୋଇ ଯଦି ସତ୍ୟ ଘଟଣା ରଖି ନ ପାରିବେ, ଏତେ ବଡ ଘଟଣାରେ ନୀରବ ହୋଇ ରହିବେ ତେବେ ଲାଭ କ’ଣ ଅଛି ? ବରଂ ସେ ପଦ ଛାଡି ଦିଅନ୍ତି ବୋଲି କହିଛନ୍ତି ପିସିସି ମୁଖ୍ୟ ।

Leave A Reply

Your email address will not be published.