Latest Odisha News

BREAKING NEWS

ଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣାରେ ୧୧ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ମୁସ୍ତଫାବାଦ ଅଞ୍ଚଳରେ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା କୋଠା ତଳେ ଅନେକ ଫଶିରହିଥିବା କାରଣରୁ ଏନଡିଆରଏଫ୍ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶନିବାର ରାତି ସୁଦ୍ଧା ୧୪ ଜଣ ଉଦ୍ଧାର ହୋଇଥିବା ଅଧିକାରୀମାନେ କହିଛନ୍ତି ।

ଅତିରିକ୍ତ ଡିସିପି ରମଣ ଲାମ୍ବା କହିଛନ୍ତି, ୧୨ ଘଣ୍ଟାର ଉଦ୍ଧାର ଅପରେସନ୍‌ ମଧ୍ୟରେ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ୧୧ ଜଣଙ୍କ ମୃତଦେହ ମିଳିଛି । ଏହି ଦୁର୍ଘଟଣାରେ ଉକ୍ତ କୋଠାର ମାଲିକ ତଥା ୬୦ ବର୍ଷୀୟ ତହସିନ୍‌ଙ୍କର ମୃତ୍ୟୁ ହୋଇଯାଇଛି । ୧୧ ମୃତକଙ୍କ ମଧ୍ୟରୁ ୮ ଜଣ ଗୋଟିଏ ପରିବାରର । ମୃତକଙ୍କ ମଧ୍ୟରେ ୩ ମହିଳା ଓ ୪ ଜଣ ଶିଶୁ ରହିଥିବା ନେଇ ଦିଲ୍ଲୀ ପୋଲିସ ଜାରି କରିଥିବା ମୃତକମାନଙ୍କର ତାଲିକାରୁ ଜଣାପଡିଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋସିଆଲ ମିଡିଆ ଏକ୍ସରେ ଏ ସମ୍ପର୍କରେ ଏକ ପୋଷ୍ଟ ସେୟାର କରି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପୋଷ୍ଟରେ ଲେଖିଛନ୍ତି । ଡିଡିଏମଏ, ଏନଡିଆରଏଫ, ଡିଏଫଏସ ଏବଂ ଅନ୍ୟାନ୍ୟ ସଂସ୍ଥା ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସମସ୍ତ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା । ଈଶ୍ୱର ଦିବଙ୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ ।

 

Comments are closed.