ଦିଲ୍ଲୀ : ଦିଲ୍ଲୀ ମେହରୁଲିରେ ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡର ଅଭିଯୁକ୍ତ ଆଫତାବ ପୁନାଓ୍ୱାଲାର ରିମାଣ୍ଡ ଆଜି ସରିବ। ତେଣୁ ପୋଲିସ କୋର୍ଟରେ ତାକୁ ହାଜର କରାଇ ପୁଣି ଥରେ ରିମାଣ୍ଡ ମାଗିପାରେ। ପ୍ରେମିକା ଶ୍ରଦ୍ଧା ଓ୍ୱାକରଙ୍କୁ ହତ୍ୟାର ପୂରା ବିବରଣୀ ଆଫତାବଠାରୁ ଓଗାଳୁଛି ପୋଲିସ। ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ପଦାକୁ ଆସୁଛି। ପୋଲିସକୁ ଏଯାଏଁ ହତ୍ୟାରେ ବ୍ୟବହୃତ ଅସ୍ତ୍ର, ମୋବାଇଲ, ସାର୍ଟ-ପେଣ୍ଟ ଆଦି ଠୋସ୍ ପ୍ରମାଣ ମିଳିନାହିଁ।
ଏସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ପୋଲିସ ଆଫତାବକୁ ପୁଣି ଥରେ ରିମାଣ୍ଡରେ ନେଇପାରେ। ତେବେ ହତ୍ୟା ଘଟଣାକୁ ୬ ମାସ ହୋଇଯାଇଥିବାରୁ ଯଦି ଅସ୍ତ୍ର ଜବତ ହୁଏ, ସେଥିରେ ଫିଙ୍ଗର ପ୍ରିଣ୍ଟ କମ୍ୱା ରକ୍ତ ଛିଟା ରହିବା କି ନାହାଁ ସନ୍ଦେହ। ପୋଲିସକୁ କେବଳ ମେହରୁଲି ଜଙ୍ଗଲରୁ ଶ୍ରଦ୍ଧାଙ୍କ ୧୦/୧୨ ଖଣ୍ଡ ହାଡ ମିଳିଛି। ତେବେ ଏହା ଶ୍ରଦ୍ଧାଙ୍କର କି ନୁହେଁ, ତାହା ପରୀକ୍ଷା କରାଯାଉଛି। ଶ୍ରଦ୍ଧାଙ୍କ ମୃତ୍ୟୁ କେଉଁଦିନ ଓ କେଉଁ ସମୟରେ ହୋଇଥିଲେ, ସେନେଇ ପୋଲିସ ଯାଞ୍ଚ କରୁଛି।
ତଥାପି ପୋଲିସ କିଛି ଠୋସ୍ ପ୍ରମାଣକୁ ଆଧାର କରିଛି। ଆଫତାବ କିଣିଥିବା ଫ୍ରିଜା ଦୋକାନ, ଆରୀ କିଣିଥିବା ଦୋକାନୀ, ଅନଲାଇନ ଫୁଡ୍ ଡେଲିଭର୍ କମ୍ପାନୀ, ଶ୍ରଦ୍ଧାଙ୍କ ପିତା ଓ ସାଙ୍ଗ, ଶ୍ରଦ୍ଧାଙ୍କ ପଡୋଶୀ ଏବଂ ଶ୍ରଦ୍ଧାଙ୍କ ଶରୀର କାଟିବାବେଳେ ହୋଇଥିବା ଆଫତାବଙ୍କ ହାତର କ୍ଷତକୁ ଚିକିତ୍ସା କରିଥିବା ଡାକ୍ତର ସମସ୍ତେ ଆଫତାବ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି।
ଶ୍ରଦ୍ଧା ମର୍ଡର ମାମଲାରେ ଆଉ ଏକ ରୋଚକ ତଥ୍ୟ ଲାଗିଛି ପୋଲିସ ହାତରେ। ଏହି ହତ୍ୟାକାଣ୍ଡଟି ଅନ୍ୟ ଏକ ହତ୍ୟାକାଣ୍ଡ ସହିତ ମେଳ ଖାଉଥିବା ପୋଲିସ ଜାଣିବାକୁ ପାଇଛି। ୨୦୧୦ରେ ଡେରାଡୁନରେ ଅନୁପମା ଗୁଲାଟି ନାମ୍ନୀ ଜଣେ ମହିଳାଙ୍କୁ ଠିକ୍ ଏହିଭଳି ବିଭତ୍ସ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ତାଙ୍କ ସ୍ୱାମୀ ରାଜେଶ ଗୁଲାଟି। ୨୦୧୭ରୁ ସେ ଆଜୀବନ ଜେଲ୍ ଭୋଗୁଛନ୍ତି।
Comments are closed.