Latest Odisha News

ସର୍ବକାଳୀନ ରେକର୍ଡ ସହ ଦିଲ୍ଲୀ ଡେଇଁଲା ୫୨ ଡିଗ୍ରୀ, ରାଜ୍ୟରେ ୪୫ ଡିଗ୍ରୀ ପାର୍

ନୂଆଦିଲ୍ଲୀ: ସବୁ ରେକର୍ଡ ଭାଙ୍ଗି ସାରିଲାଣି ଜାତୀୟ ରାଜଧାନୀ ଦିଲ୍ଲୀ । ଆଜି ୫୨.୩ ଡିଗ୍ରୀ ତାପମାତ୍ରାରେ ସର୍ବକାଳୀନ ରେକର୍ଡ କରିଛି ଦିଲ୍ଲୀ । ତତଲା କଡେଇରେ ଖାଲି ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀ ବାସୀ । ଏହାସହିତ ରାଜସ୍ଥାନର ଅନେକ ଅଞ୍ଚଳ ୫୦ ଡିଗ୍ରୀ ଟପିଛି । ହରିୟାଣାର ଶିର୍ଶାରେ ୫୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଏପଟେ ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି ସହ ପ୍ରଚଣ୍ଡ ଗୁଳୁଗୁଳି । ଦିନ ସାଢେ ୨ଟା ସୁଦ୍ଧା ୪୫ ଡିଗ୍ରୀ ପାର୍ କଲା ତାପମାତ୍ରା । ୪୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରି ଝାରସୁଗୁଡା ସବୁଠୁ ଉତପ୍ତ ସହର । ଭୁବନେଶ୍ବରରେ ୩୯. ୮ ଡିଗ୍ରୀ ରହିଛି । ତେବେ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ଅନ୍ୟ ତୁଳନାରେ ଅତ୍ୟଧିକ ନଥିଲେ ମଧ୍ୟ ବାୟୁମଣ୍ଡଳର ଆଦ୍ରତା ୬୦ ପ୍ରତିଶତ ରହିଥିବା କାରଣରୁ ଏଠାରେ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଏହି କ୍ରମରେ ଦିନ ୨.୩୦ ସୁଦ୍ଧା ସମ୍ୱଲପୁର ୪୫.୨ ଡିଗ୍ରୀ, ହୀରାକୁଦ ୪୪.୮, ରାଉରକେଲା ୪୩.୬, କେନ୍ଦୁଝର ୪୧.୨ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି । ଏହା ସହିତ ଆଭ୍ୟନ୍ତରୀଣ ଓଡିଶାରେ ତାତି ଅସମ୍ଭାଳ ହୋଇଥିବା ବେଳେ ଉପକୂଳ ଓଡିଶାରେ ପ୍ରବଳ ଗୁଳୁମୁଳି ଅନୁଭୂତ ହେଉଛି ।

ଭାରତର ଅନେକ ରାଜ୍ୟରେ ଏବେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଟିକେ ଆଶ୍ବସ୍ତି ଆଣିପାରିବ ବୋଲି ଆକଳନ କରାଯାଉଛି । ପାଣିପାଗର ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଏହାସହିତ କିଛି ଉତ୍ତରପୂର୍ବ ରାଜ୍ୟକୁ ମଧ୍ୟ ମୌସୁମୀ ଅଗ୍ରସର ହେବ। ଯାହା ଫଳରେ ପାଗ ବଦଳିବା ସହ ତାତିରୁ ମଧ୍ୟ ଆଶ୍ବସ୍ତି ମିଳିବ ।

Comments are closed.