ଭୁବନେଶ୍ୱରଂ: ରାଜ୍ୟ ସରକାରଙ୍କ ୫ଟି “ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ”ଏବଂ“ମୋ ସ୍କୁଲ ଅଭିଯାନ”କୁ ପ୍ରଶଂସା କରିଛି ଦିଲ୍ଲୀସ୍ଥିତ “ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ”(ଏସ୍.ସି.ଇ.ଆର୍.ଟି.) ।ଏହି ପରିଷଦର ଏକ ୧୦ ଜଣିଆ ଟିମ୍ ଶୁକ୍ରବାର “ମୋ ସ୍କୁଲ” ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନରେ ଆସି ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ଦକ୍ଷତା ବିକାଶ ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।
ଏହି ୧୦ଜଣିଆ ଟିମ୍ର ପ୍ରତିନିଧିତ୍ୱ କରୁଥିବା ଦିଲ୍ଲୀ ଏସ୍.ସି.ଇ.ଆର୍.ଟି.ର ନୋଡାଲ ଅଫିସର ପ୍ରୀତି ଖତ୍ରି ରାଜ୍ୟ ସରକାରଙ୍କ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପକୁ ପ୍ରଂଶସା କରିବା ସହ ସାଧୁବାଦ ଜଣାଇଛନ୍ତି । ଓଡ଼ିଶାର ରୂପାନ୍ତରିତ ବିଦ୍ୟାଳୟଗୁଡିକୁ ଅତ୍ୟାଧୁନିକ ଡିଜିଟାଲ ଉପକରଣ ଯୋଗାଇ ଦିଆଯାଇଛି । ଗ୍ରାମାଞ୍ଚଳଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଏକ ବିଂଶ ଶତାବ୍ଦୀର ଉନ୍ନତ ଜ୍ଞାନକୌଶଳ ତାଲିମ ଦିଆଯାଉଛି ।
ସମସ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଉନ୍ନତ ଶିକ୍ଷା ସୁନିଶ୍ଚିତ କରିଥିବା ଓଡ଼ିଶା ସରକାରଙ୍କ “ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ” ହେଉଛି ଏକ ଯୁଗାନ୍ତକାରୀ ପଦକ୍ଷେପ । ଉଚ୍ଚ ବିଦ୍ୟାଳୟଗୁଡିକରେ ଉନ୍ନତ ଭିତ୍ତିଭୂମି, ମୌଳିକ ଆବଶ୍ୟକୀୟ ଶିକ୍ଷା ଉପକରଣ ଏବଂ ବିଦ୍ୟାଳୟସ୍ତରରେ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯାଉଛି । ରାଜ୍ୟ ସରକାରଙ୍କ “ମୋ ସ୍କୁଲ ଅଭିଯାନ” ସାରା ଦେଶରେ ଏକ ସ୍ୱତନ୍ତ୍ର ଓ ନିଆରା ପଦକ୍ଷେପ । ପୁରାତନ ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ସହ ଯୋଡି ହେବା ସହ ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ନିଜକୁ ଅନ୍ତର୍ଭୁକ୍ତ କରିପାରୁଛନ୍ତି । ଏହା ସମସ୍ତଙ୍କ ପାଇଁ ଉଦାହରଣ ଯୋଗ୍ୟ ବୋଲି ଶ୍ରୀମତୀ ଖତ୍ରି କହିଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ଓ ଆକାଂକ୍ଷୀ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଏହି ଟିମ୍ର ପ୍ରତିନିଧିମାନେ କହିଛନ୍ତି ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ କରିବାରେ ଏହା ବେଶ୍ ସହାୟକ ହେବ । ଏହି ଅବସରରେ ଉକ୍ତ ଟିମ୍ ମୋ ସ୍କୁଲ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା ଏବଂ ମୋ ସ୍କୁଲ ଟିମ୍ ସହ ଆଲୋଚନା କରିଥିଲେ ।
Comments are closed.