ନୂଆଦିଲ୍ଲୀ: ଦିଲ୍ଲୀ ଦଳାଚକଟା ଘଟଣାରେ ଆରମ୍ଭ ହୋଇଯାଇଛି ଉଚ୍ଚସ୍ତରୀୟ ତଦନ୍ତ । ୨ ଜଣିଆ ଉଚ୍ଚସ୍ତରୀୟ କମିଟିର, ପ୍ରକୃତରେ କାହିଁକି ଏପରି ସ୍ଥିତି ଉପଜୁଜିଲା, ଏହାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଘଟଣାସ୍ଥଳର ସମସ୍ତ ସିସିଟିଭି ଜବତ କରିଛନ୍ତି ତଦନ୍ତକାରୀ ଟିମ୍ । ତେବେ ଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦୁଃଖଦ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ।
ଏଥିସହିତ ଦିଲ୍ଲୀ ପୋଲିସ ଓ ରେଲୱେ ପୋଲିସ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଳାଇବା ସହିତ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ଅଚାନକ ହୋଇଥିବା ଏହି ଭିଡ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ଟ୍ରେନ ଚଲାଯାଉଛି । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରୟାଗରାଜକୁ ୪ଟି ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଆହୁରି ଅଧିକ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ କହିରଖୁଛୁ, ନୂଆଦିଲ୍ଲୀ ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ଅସମ୍ଭାଳ ଭିଡ ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା, ୩ ଜଣ ପୁରୁଷ ଏବଂ ୪ ଜଣ ପିଲା ରହିଛନ୍ତି । ରିପୋର୍ଟ ଅନୁସାରେ, ରେଳ କର୍ତ୍ତୃପକ୍ଷ ପ୍ରୟାଗରାଜ ପାଇଁ ପ୍ରତି ଘଣ୍ଟାରେ ପ୍ରାୟ ୧୫୦୦ ସାଧାରଣ ଟିକେଟ୍ ଜାରି କରୁଥିଲେ । ଯାହାକୁ ନେଇ ଟିକେଟ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳଚକଟା ସ୍ଥିତି ଉପୁଜିଥିଲା ।
Comments are closed.