ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣର ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦୀପାବଳି ପରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପ୍ରଦୂଷଣର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି। ସଡ଼କ ଧୂଳି, ଗାଡି ଧୂଆଁ, ଏବଂ ସହରରେ ନଡ଼ା ଜଳିବା ଘଟଣା ମଧ୍ୟ ଏହି ସମସ୍ୟାକୁ ଗୁରୁତର କରିଛି। ଦିଲ୍ଲୀ ଏନସିଆରର ଅନେକ କ୍ଷେତ୍ରରେ AQI ୪୦୦ ଅତିକ୍ରମ କରିଛି। ଦିଲ୍ଲୀବାସୀ ମଧ୍ୟ ଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି। ଏହା ସହିତ, ଆଖି ଜଳା, ଗଳାଯନ୍ତ୍ରଣା ଭଳି ଅନେକ ସମସ୍ୟା ଦେଖାଦେଉଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ର ସର୍ବଶେଷ ଅଦ୍ୟତନ ଅନୁଯାୟୀ, ଦିଲ୍ଲୀର ହାରାହାରି AQI ଆଜି ସକାଳ ପ୍ରାୟ ୮ଟା ସମୟରେ ମାପ କରାଯାଇଛି ଏବଂ ଅଧିକାଂଶ ଅଞ୍ଚଳର AQI ମଧ୍ୟ ୪୦୦ରୁ ଅଧିକ ଅଟେ। ନଡ଼ାପୋଡି, ଯାନବାହନ ଏବଂ ଶିଳ୍ପାଞ୍ଚଳରୁ ଧୂଆଁ ନିର୍ଗମନ ହ୍ରାସ ପାଇଥିଲେ ମଧ୍ୟ ନିର୍ମାଣଜନିତ ଧୂଳି ଯୋଗୁ ସହରର ବାୟୁ ମାନ ଗମ୍ଭୀର ସ୍ଥିତିରେ ପହଞ୍ଚିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟରୁ ଜଣାପଡ଼ିଛି। ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସତ୍ତ୍ୱେ ଏହା ବଢ଼ିଚାଲିଥିବାରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଯାଇଛି।
ଗତ ଶୁକ୍ରବାର ଦିଲ୍ଲୀ ବାୟୁ ପ୍ରଦୂଷଣର ୩୫ ପ୍ରତିଶତ ନଡ଼ାପୋଡ଼ି ଯୋଗୁଁ ହୋଇଥିବାବେଳେ ଶନିବାର ଏହା ୧୫ ପ୍ରତିଶତକୁ ହ୍ରାସ ପାଇଥିଲା। ଫଳରେ ଅନ୍ୟାନ୍ୟ କାରଣରୁ ଦିଲ୍ଲୀର ବାୟୁ ମାନ ଅଧିକ ଖରାପ ହେଉଥିବା ସ୍ପଷ୍ଟ ହୋଇଛି। ଏଥିରେ ଯାନବାହନ, ଶିଳ୍ପାଞ୍ଚଳର ଧୂଳି ଧୂଆଁ ଏବଂ ନିର୍ମାଣଜନିତ ଧୂଳି ମୁଖ୍ୟ କାରକ ହୋଇରହିଛି। ଏହା ବ୍ୟତୀତ ଦିଲ୍ଲୀର ଭୌଗୋଳିକ ଏବଂ ପାଣିପାଗଜନିତ ସ୍ଥିତି ମଧ୍ୟ ପ୍ରଦୂଷଣ ପାଇଁ ଅନେକାଂଶରେ ଦାୟୀ। ଏହି କାରଣରୁ ପ୍ରଦୂଷିତ ଉପାଦନଗୁଡ଼ିକ ସ୍ଥଳଭାଗ ନିକଟରେ ଜମିରହୁଛି।
ଆନନ୍ଦ ବିହାର, ଅଶୋକ ବିହାର, ବଓ୍ବାନା, ଦ୍ୱାରକାର ଦୁଇଟିଯାକ ମନିଟରିଂ ଷ୍ଟେଶନ, ଜାହାଙ୍ଗୀରପୁରୀ, ମୁଣ୍ଡ୍କା, ଲଜପତ୍ ନଗର, ପତ୍ପରଗଞ୍ଜ, ବିବେକ ବିହାର, ରୋହିଣୀ, ପଞ୍ଜାବୀ ବାଗ୍ ଏବଂ ୱାଜିରପୁରରେ ବାୟୁ ମାନ ସବୁଠୁ ଖରାପ ରହିଛି। ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୭ ଥିବାବେଳେ ରୋହିଣୀରେ ୪୩୫, ଲଜପତ ନଗରରେ ୪୩୦ ଏବଂ ପଞ୍ଜାବୀବାଗ୍ରେ ୪୨୫ ରହିଛି।
Comments are closed.