Latest Odisha News

କିଏ ଧରିବେ ଦିଲ୍ଲୀ ମଙ୍ଗ, ଚର୍ଚ୍ଚାରେ ମହିଳା ନେତ୍ରୀ! 

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ବିପୁଳ ବିଜୟ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀ ପଦ କାହାକୁ ଦେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦ ଜଣେ ମହିଳା ବିଧାୟକଙ୍କୁ ଦିଆଯାଇପାରେ। ଏହି ପଦ ପୂର୍ବାଞ୍ଚଳରୁ ଆସୁଥିବା ଜଣେ ନେତାଙ୍କୁ ଦିଆଯାଇପାରେ ବୋଲି ମଧ୍ଯ କୁହାଯାଉଛି।

ବିଜେପି ନେତାଙ୍କ କହିବାନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶ ଗସ୍ତରୁ ଫେରିବା ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ବର୍ତ୍ତମାନ ଦଳରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଚାରବିମର୍ଶ ଚାଲିଛି। କୁହାଯାଉଛି ଯେ ଗ୍ରେଟର କୈଳାସ ଆସନରେ ସୌରଭ ଭରଦ୍ୱାଜଙ୍କୁ ପରାସ୍ତ କରିଥିବା ଶିଖା ରାୟ ଏହି ଦୌଡ଼ରେ ଆଗରେ ଅଛନ୍ତି।

ଏହି ନିର୍ବାଚନରେ କେବଳ ପାଞ୍ଚ ଜଣ ମହିଳା ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଛନ୍ତି। ଏଥିରେ ଚାରି ଜଣ ବିଜେପି ନେତା ରହିଥିବା ବେଳେ ଏକମାତ୍ର ଆପ ନେତ୍ରୀ ହେଉଛନ୍ତି ଅତିଶୀ।

ସେହିପରି ବିଜେପିର ରେଖା ଗୁପ୍ତା ଶାଲିମାର ବାଗ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି। ସେ ଆପ ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ ହରାଇଥିଲେ। ଅପରପକ୍ଷରେ ୱାଜିରପୁର ଆସନରୁ ବିଜେପି ପ୍ରାର୍ଥୀ ପୁନମ ଶର୍ମା ଆପର ନୀରଜ ଗୁପ୍ତାକୁ ପରାଜିତ କରିଥିଲେ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଘୋଷଣାକୁ ନେଇ ବିଜେପି ସର୍ବଦା ଚକିତ କଲାଭଳି ନିଷ୍ପତ୍ତି ନେଇଥାଏ। ଦଳ ଅଳ୍ପ ପରିଚିତ ମୁହଁକୁ ମଧ୍ୟ ମୁଖ୍ୟମନ୍ତ୍ରୀ କରିପାରେ। ରାଜନୈତିକ ସମୀକରଣ ଦେଖିଲେ ଦଳର ଶୀର୍ଷ ନେତୃତ୍ୱ ପୂର୍ବାଞ୍ଚଳରୁ କାହା ନାମ ଉପରେ ବିଚାର କରିପାରନ୍ତି। ତେବେ ବର୍ତ୍ତମାନ ଏହା ଉପରେ କୌଣସି ସରକାରୀ ଘୋଷଣା ହୋଇନାହିଁ।

Comments are closed.