Latest Odisha News

ପରିସୀମନ…ପରିଚୟକୁ ବଡ଼ ବିପଦ !

ନୂଆଦିଲ୍ଲୀ: ପରିସୀମନକୁ ନେଇ ଦକ୍ଷିଣରୁ ହୁଙ୍କାର । ଗୋଟିଏ ମଞ୍ଚରେ ବିରୋଧୀ ଏକାଠି । ବିପଦରେ ପଡିପାରେ ପରିଚୟ । ପରିସୀମନକୁ ନେଇ ବର୍ଷିଲେ ଷ୍ଟାଲିନ, ନବୀନ, ରେଓ୍ବନ୍ତ । ଲୋକସଭା ସିଟର ପ୍ରସ୍ତାବିତ ପରିସୀମନକୁ ନେଇ ଚେନ୍ନାଇ ବୈଠକରେ ବିରୋଧୀ ଦଳ ଏକାଠି ହୋଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ନିରପେକ୍ଷ ପରିସୀମନ ପାଇଁ ଷ୍ଟାଲିନ୍ ଦାବି କରିଛନ୍ତି । ଯେପରି ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଭଲ କାମ କରିଥିବା ରାଜ୍ୟ ପରିସୀମନ ଦ୍ବାରା ଦଣ୍ଡିତ ହେବେନି । ରାଜନୈତିକ ପ୍ରତିନିଧିତ୍ବର ସୁରକ୍ଷା ପାଇଁ ଆଇନଗତ ଦିଗ ଉପରେ ଷ୍ଟାଲିନ ଗୁରୁତ୍ବ ଦେଇଛନ୍ତି । ସେପଟେ ଓଡିଶାର ସ୍ବାର୍ଥ ରକ୍ଷା ପାଇଁ ବିଜେଡି ସବୁ କରିବାକୁ ପ୍ରସ୍ତୁତ ବୋଲି ଦଳ ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ।

କ’ଣ କହିଲେ ନବୀନ?
ଚେନ୍ନାଇ ବୈଠକରେ ନିଜେ ଯୋଗ ଦେଇନଥିଲେ ମଧ୍ୟ ନବୀନ ଭିଡିଓ ବାର୍ତ୍ତା ପଠାଇଛନ୍ତି । କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଭଲ କାମ କରିଥିବା ରାଜ୍ୟଗୁଡିକରେ ବସବାସ କରୁଥିବା ଲୋକଙ୍କ ଗଣତାନ୍ତ୍ରିକ ପ୍ରତିନିଧିତ୍ବ ଓ ଅଧିକାର ସୁନିଶ୍ଚିତ କରିବା ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ବୈଠକ । ଦେଶର ବିକାଶ କ୍ଷେତ୍ରରେ ଜନସଂଖ୍ୟା ନିୟନ୍ତ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ଜାତୀୟ ଏଜେଣ୍ଡା । ତେବେ କେବଳ ଜନସଂଖ୍ୟା ଉପରେ ଆଧାର କରି ସୀମା ପୁନଃନିର୍ଦ୍ଧାରଣ ସେସବୁ ରାଜ୍ୟମାନଙ୍କ ପ୍ରତି ଅନ୍ୟାୟ । ଯେଉଁମାନେ ଜାତୀୟ ପ୍ରାଥମିକତା ସହିତ ସେମାନଙ୍କ ଜନସଂଖ୍ୟା ନିୟନ୍ତ୍ରଣ କରିବା ଦିଗରେ କଠିନ ପରିଶ୍ରମ କରିଛନ୍ତି । ତେଣୁ ଜନସଂଖ୍ୟା ଏକମାତ୍ର ମାନଦଣ୍ଡ ହେବା ଉଚିତ୍ ନୁହେଁ ବୋଲି ନବୀନ କହିଛନ୍ତି ।
ବାଇଟ୍- ନବୀନ ପଟ୍ଟନାୟକ, ବିଜେଡି ସଭାପତି

ନିରପେକ୍ଷ ପରିସୀମନ ଦାବି
ନିରପେକ୍ଷ ପରିସୀମନ ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଏହା ଆଇନଗତ ଓ ରାଜନୈତିକ ଆକ୍ସନପ୍ଲାନ ପ୍ରସ୍ତୁତ କରିବ । ଦକ୍ଷିଣ ରାଜ୍ୟଗୁଡିକର ଅଧିକାର ରକ୍ଷା ପାଇଁ ନିରବିଚ୍ଛିନ୍ନ ଉଦ୍ୟମ କରିବାକୁ ସେ କହିଛନ୍ତି । ଚେନ୍ନାଇରେ ହୋଇଥିବା ଏହି ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍, କେରଳ ସିଏମ୍ ପିନରାୟୀ ବିଜୟନ, ତେଲେଙ୍ଗାନା ସିଏନ୍ ରେଓ୍ବନ୍ତ ରେଡ୍ଡୀଙ୍କ ସହ ଅନ୍ୟ ବିରୋଧ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ ।

ଦକ୍ଷିଣ ରାଜ୍ୟଙ୍କ ପାଇଁ ଡେମୋକ୍ଲିସ୍ ଖଣ୍ଡା
ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗକୁ ଦକ୍ଷିଣ ରାଜ୍ୟଙ୍କ ପାଇଁ ଡେମୋକ୍ଲିସ୍ ଖଣ୍ଡା ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ । ସେହିପରି ଦକ୍ଷିଣ ରାଜ୍ୟଗୁଡିକର ସଂସଦୀୟ ପ୍ରତିନିଧିତ୍ବ ହ୍ରାସ ପାଇଁ କେନ୍ଦ୍ର ଉଦ୍ୟମ କରୁଥିବା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି । ନିଜର ଭଲ ସ୍ଥିତି ଥିବା ରାଜ୍ୟକୁ ଅଧିକ ସିଟ୍ ଓ ଖରାପ ସ୍ଥିତି ଥିବା ରାଜ୍ୟକୁ କମ୍ ପ୍ରତିନିଧିତ୍ବ ଦେବାକୁ କେନ୍ଦ୍ର ଚାହୁଁଥିବା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । ଜନସଂଖ୍ୟା ଭିତ୍ତିରେ ସିଟ୍ ନିର୍ଦ୍ଧାରଣ ହେଲେ ଦକ୍ଷିଣକୁ ଦ୍ବିତୀୟ ଶ୍ରେଣୀ ନାଗରିକ କରାଯିବ । ଏହାକୁ ଦକ୍ଷିଣ ଭାରତୀୟ ରାଜ୍ୟ ଗ୍ରହଣ କରିବେନି ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଓ୍ବନ୍ତ ରେଡ୍ଡୀ କହିଛନ୍ତି । ସୀମା ପୁନଃନିର୍ଦ୍ଧାରଣ କୌଣସି ସ୍ପଷ୍ଟତା ନାହିଁ, ତାହା ଚିନ୍ତା ବଢାଉଥିବା ଏନସିପି ନେତ୍ରୀ ସୁପ୍ରିୟା ସୁଲେ କହିଛନ୍ତି ।

ଗୋଟିଏ ମଞ୍ଚରେ ବିରୋଧୀ ଦଳ ଏକାଠି ହୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ଏହାକୁ ରାଜନୈତିକ ନାଟକବାଜି କହିଛନ୍ତି ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ । ରାଜ୍ୟର ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ଷ୍ଟାଲିନ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଥିବା ସେ କହିଛନ୍ତି । ଏପରିକି ବୈଠକକୁ ସୀମା ପୁନଃନିର୍ଦ୍ଧାରଣ ବୈଠକ ନକହି ବରଂ ଦୁର୍ନୀତି ଲୁଚାଇବା ବୈଠକ କହିବା ଠିକ୍ ହେବ ବୋଲି ସେ କହିଛନ୍ତି । ସେପଟେ ସୀମା ପୁନଃନିର୍ଦ୍ଧାରଣ ନେଇ ପରବର୍ତ୍ତୀ ବୈଠକ ହାଇଦ୍ରାବାଦରେ ହେବ ।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.