Latest Odisha News

ଏଥର ବଜେଟରେ ମହିଳାଙ୍କୁ କେତେ?

ନୂଆଦିଲ୍ଲୀ: ମହିଳା ଆଉ ହାଣ୍ଡିଶାଳରେ ସୀମିତ ନୁହନ୍ତି । ଦେଶ ଅର୍ଥନୀତିରେ ବି ବରାବର ଅଂଶ ଗ୍ରହଣ କରୁଛନ୍ତି । କିଏ କମ୍ପାନୀର ବଡ ପଦରେ ରହିଛନ୍ତି ତ କିଏ ନିଜ ବ୍ୟବସାୟ କରି ସ୍ବାବଲମ୍ବୀ ହୋଇଛନ୍ତି । କିଛି ମହିଳା କର୍ମଜୀବୀ ତ ଅନେକ ଚାକିରି ଖୋଜୁଛନ୍ତି । ଆଗକୁ ରୋଜଗାର କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ଆହୁରି ବଢାଇବା ଉପରେ ଜୋର ଦେଉଛନ୍ତି ବିଭିନ୍ନ ମହିଳା ସଂଗଠନ ଓ ସିଭିଲ ସୋସାଇଟି । ମହିଳାଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ କାମ କରିବା ସମୟ ଓ କ୍ରେଚ ପରି ଭିତ୍ତିଭୂମି ଦେବା ଉପରେ ବି ଗୁରୁତ୍ବ ଦିଆଯାଇଛି । ଆଉ ଦୁଇ ଦିନ ପରେ କେନ୍ଦ୍ର ବଜେଟ୍ ଆସୁଥିବା ବେଳେ, ଏଥିରୁ କଣ ରହିଛି ମହିଳାଙ୍କ ଆଶା?

ବଢିବ କି ବଜେଟ୍ ଆବଣ୍ଟନ?

ଗତ ବଜେଟରେ ମହିଳାଙ୍କ ପାଇଁ ୩ଲକ୍ଷ କୋଟି ଟଙ୍କାର ଆବଣ୍ଟନ କରାଯାଇଥିଲା । ଏଥର ବଜେଟରେ ଏହି ଅର୍ଥ ବଢିବା ନେଇ ଆଶା କରାଯାଉଛି । ବଜେଟରେ ବିଶେଷ କରି ରୋଜଗାର ସୁଯୋଗ ସୃଷ୍ଟି ସହ ଫ୍ଲେକ୍ସିବଲ ଓ୍ବର୍କ ପଲିସି ମାଧ୍ୟମରେ କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢାଇବା ଉପରେ ଫୋକସ୍ କରିବା ଆବଶ୍ୟକ । କାମ କରିବା ସ୍ଥାନରେ ଆବଶ୍ୟକ ଭିତ୍ତିଭୂମି, ଯୋଗାଯୋଗ ସୁବିଧା ସହ ସମାନ ବେତନ ମହିଳାଙ୍କୁ ଆଗକୁ ବଢିବା ଦିଗରେ ସହାୟକ ହୋଇପାରିବ ।

ମହିଳାଙ୍କ ଭାଗିଦାରୀକୁ ଫୋକସ୍

୨୦୨୩ପର୍ଯ୍ୟନ୍ତ ଦେଶରେ ମହିଳା ଶ୍ରମ ବଳ ଭାଗିଦାରୀ ହାର ୩୨.୭ପ୍ରତିଶତ ରହିଥିଲା । ଏହା ୧୫ବର୍ଷ ବା ତାଠାରୁ ଅଧିକ ବୟସର ଆର୍ଥିକ ଭାବେ ସକ୍ରିୟ ମହିଳାଙ୍କ ପ୍ରତିଶତ। ବିଭିନ୍ନ ସଂଗଠନ ପକ୍ଷରୁ ମହିଳାଙ୍କ ପାଇଁ ଉପଲବ୍ଧ ହେଉଥିବା ଚାକିରିର ଗୁଣବତ୍ତା ଓ ଆବଶ୍ୟକ କୌଶଳ ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ଜେଣ୍ଡର ବଜେଟିଂ ବୃଦ୍ଧି ମହିଳାଙ୍କୁ ମୁଖ୍ୟଧାରାରେ ଆଣିବାର ଗୁରୁତ୍ବକୁ ଦର୍ଶାଇଥାଏ । ମହିଳାଙ୍କ ଆବଶ୍ୟକତା ଦେଖିବା ଓ ବୁଝିବା ଦ୍ବାରା ମହିଳାଙ୍କ ଭାଗିଦାରୀ ଆହୁରି ବଢିପାରିବ ।

ବଜେଟରେ ଅଣାଯାଉ ପଲିସି

ଆଗାମୀ ବଜେଟରେ ବ୍ୟକ୍ତି, ପରିବାର ଓ କର୍ପୋରେଟ୍ କ୍ଷେତ୍ର ଅପେକ୍ଷା ଘରୋଇ ପୁଞ୍ଜି ଖୋଲିବାକୁ ଅନୁକୁଳ ପଲିସି ଅଣିବା ସହ ଟ୍ୟାକ୍ସ ଇନସେଣ୍ଟିଭ୍ ବଢାଯାଇପାରେ । ଲକ୍ଷପତି ଦିଦି, ପିଏମ୍ ସ୍ବନିଧି ଓ ମୁଦ୍ରା ଯୋଜନା ଭଳି କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳରେ କମ୍ ରୋଜଗାରକ୍ଷମ ମହିଳା ଲଗାତର ସଶକ୍ତ ହେଉଥିବା ମହିଳା ଓ୍ବାର୍ଲଡ ବ୍ୟାଙ୍କିଙ୍ଗର ଦକ୍ଷିଣ ଏସିଆ ଆଞ୍ଚଳିକ ମୁଖ୍ୟ କଳ୍ପନା ଅଜୟନ କହିଛନ୍ତି । ସେହିପରି ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ, ନାବାର୍ଡ ଭଳି ପାର୍ଟନରଙ୍କ ସହ ଅନେକ ମହିଳା ଦାୟିତ୍ବବାନ ଋଣକର୍ତ୍ତା ହେଉଥିବା ସେ କହିଛନ୍ତି ।

ମହିଳାଙ୍କ ପାଇଁ ସରକାରୀ ଯୋଜନା

ମହିଳାଙ୍କ ସଶକ୍ତିକରଣ ପାଇଁ ସରକାର ବିଭିନ୍ନ ଯୋଜନା ଚଲାଉଛନ୍ତି । ମିଶନ ଶକ୍ତି, ମାତୃବନ୍ଦନା ଯୋଜନା ଓ ଜନନୀ ସୁରକ୍ଷା ଯୋଜନା ଭଳି ମହିଳା କୈନ୍ଦ୍ରିକ ଯୋଜନା ରହିଛି । ଏସବୁ ଯୋଜନା ଦ୍ବାରା ମହିଳାଙ୍କୁ ଆଗକୁ ବଢାଇବାକୁ ଉଦ୍ୟମ କରୁଛନ୍ତି ସରକାର । ଆଗାମୀ ବଜେଟରେ ଏସବୁ ଯୋଜନାରେ ଅଧିକ ବ୍ୟୟ ବରାଦ ହୋଇପାରେ । ସୁରକ୍ଷା, ଶିକ୍ଷା ଓ ମାତୃସ୍ବାସ୍ଥ୍ୟ ଲାଭ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା ଲକ୍ଷ୍ୟ ରହିଥିବା ଏସବୁ କାର୍ଯ୍ୟକ୍ରମରେ ଏଥର ଅଧିକ ବଜେଟ୍ ମିଳିପାରେ ବୋଲି ଆଶା କରାଯାଉଛି । ଗତ ବଜେଟରେ ଏସବୁ ଯୋଜନାରେ ୩ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା ।

Comments are closed.