Latest Odisha News

BREAKING NEWS

ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ ପଶ୍ଚିମ ଓଡ଼ିଶାରେ ଦାବି ତେଜିଲା

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ତେଜିବାରେ ଲାଗିଛି । ବେଞ୍ଚ ପ୍ରତିଷ୍ଠା ନେଇ ଓକିଲସଂଘ ପକ୍ଷରୁ ଆଗାମୀ ଦିନରେ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି ।

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ଦିନ ଝାରସୁଗୁଡ଼ା ଠାରେ ହୋଇଥିବା ବୈଠକରେ ଓକିଲମାନେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମୟରେ କମିଟି ସଦସ୍ୟମାନେ ଏନେଇ ଭେଟିବାକୁ ସ୍ଥିର କରିଛନ୍ତି । ଯଦି ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ହୋଇ ନପାରିଲା ତେବେ କମିଟି ପକ୍ଷରୁ ଏକ ଦଳ ନୂଆଦିଲ୍ଲୀ ଗସ୍ତ କରି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ବୋଲି ସ୍ଥିର ହୋଇଛି ।

“ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ହେବା ନେଇ କେନ୍ଦ୍ର ତରଫରୁ ଏକ ଅର୍ଡ଼ିନାନ୍ସ ଜାରୀ ହେବା ଜରୁରୀ । ଆମେ ଏହି ଦାବୀ ନେଇ ଆଗାମୀ ସେପ୍ଟେମ୍ବର ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସମସ୍ତ କୋର୍ଟ ବର୍ଜନ କରିବା ନିଷ୍ପତ୍ତି ନେଇଛୁ”, ବୋଲି କହିଛନ୍ତି କମିଟିର ମୁଖ୍ୟ ସଂଯୋଜକ ଅଶୋକ ଦାସ ।

ସେପ୍ଟେମ୍ବର ୫ ତାରିଖ ଦିନ ସମ୍ବଲପୁର ଜିଲ୍ଲା ବାର୍ ଆସୋସିଏସନ ପକ୍ଷରୁ ସମ୍ବଲପୁର ନେଲସନ ମାଣ୍ଡେଲା ଛକ ନିକଟରେ ଏହି ଦାବି ନେଇ ଧାରଣା ଦିଆଯାଇଥିଲା । ସେପ୍ଟେମ୍ବର ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଓକିଲମାନେ ଏନେଇ କୋର୍ଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ସେହିଦିନ ହିଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠ ନେଇ କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଏକ ପତ୍ର ଲେଖିଥିଲେ ।

ସେହି ପତ୍ରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ପୂର୍ବରୁ ୧୩ ସେପ୍ଟେମ୍ବର ୨୦୧୩ ଓ ଫେବୃୟାରୀ ୧୪ ତାରିଖ ୨୦୧୪ ମସିହାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପୂର୍ବରୁ ଅବଗତ ମଧ୍ୟ କରାଯାଇଛି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.