ପୁରୀ: ମେଡିକାଲ ଆଉଟ ସୋରସିଙ୍ଗ କର୍ମଚାରୀମାନଙ୍କର ରାଜ୍ୟସ୍ତରୀୟ କନଭେନସନ ସ୍ଥାନୀୟ ବଳ ଗଣ୍ଡି ସ୍ଥିତ ଜାନକୀ ରେସିଡେନ୍ସି ହଲରେ ଅନୁଷ୍ଠିତ ହୋଇଯାଇଛି। ମେଡିକାଲରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ରାଜ୍ୟ ମେଡିକାଲ ଆଉଟ ସୋରସିଙ୍ଗ କର୍ମଚାରୀ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି।ସାରା ରାଜ୍ୟରୁ ଶତାଧିକ ମେଡିକାଲ ଠିକା ଆଉଟ ସୋରସିଙ୍ଗ କର୍ମଚାରୀ ଯୋଗ ଦେଇଥିଲେ। ଏଥିରେ ଉପଦେଷ୍ଟା ଶରତ କୁମାର ରାୟଗୁରୁ ଉଦଘାଟନ କରି କହିଲେ ଯେ ସ୍ୱାସ୍ଥ୍ୟ ସେବାରେ କେନ୍ଦ୍ର ସରକାର ୨୦୧୩ରେ ଜିଡ଼ିପିର ୨.୫% ଖର୍ଚ୍ଚ କରୁଥିଲା ବେଳେ ମୋଦି ସରକାର ଏବେ ତାକୁ ୨.୧%କୁ ଖସାଇ ଆଣିଲେ। ତଦନୁରୂପେ ଓଡିଶା ସରକାର ମେଡିକାଲରେ ଖାଲି ପଡ଼ିଥିବା ପଦବୀ ପୂରଣ ନକରି ଆଉଟ ସୋରସିଙ୍ଗ ଠିକା ଭାବେ କର୍ମଚାରୀଙ୍କୁ ନିୟୋଜିତ କରି ଶୋଷଣ କରି ଚାଲିଛନ୍ତି।
କମ ଦରମାରେ ମହରଗ ଯୁଗରେ କିପରି ବଞ୍ଚିବେ, ସରକାର ବାହାଦୁରି ମାରି ଆଉଟ ସୋରସିଙ୍ଗ ଓ ଠିକା ଭଳି ଘୃଣ୍ୟ ପ୍ରଥା ଉଠିଗଲା ବୋଲି ଘୋଷଣା କଲେ। ବାସ୍ତବରେ ତାହା ନୁହେଁ। ଏବେବି ରାଜ୍ୟ ମେଡିକାଲରେ ଅସ୍ଥାୟୀ ଆଉଟ ସୋରସିଙ୍ଗ କର୍ମଚାରୀ ଯୋଗୁଁ ସ୍ୱାସ୍ଥ୍ୟ ସେବା ଦିଆଯାଉଛି। ସମାନ କାମକୁ ସମାନ ମଜୁରୀ ଭଳି ସୁପ୍ରିମ କୋର୍ଟ ଆଦେଶକୁ ଅବମାନନା କରୁଛନ୍ତି। ଇପିଏଫ୍, ଇଏସଆଇ ସଠିକ ଭାବେ ଦେଉନି ଏଜେନସି। ନିଯୁକ୍ତି ଉପରେ ଏବେବି କଟକଣା ଅଛି। ଏହାକୁ ଉଠାଇ ସ୍ଥାୟୀ ନିଯୁକ୍ତି ଦାବି କରିଛି ରାଜ୍ୟ ମେଡିକାଲ ଆଉଟ ସୋରସିଙ୍ଗ କର୍ମଚାରୀ ସଂଘ। ଆଜି ଭିନ୍ନ ଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ନିଜ ନିଜ ଜିଲ୍ଲାରେ ଥିବା ସମସ୍ୟାକୁ ଆଲୋଚନା କରିଥିଲେ।
ଆଡ଼ଭୋକେଟ ଶରତ କୁମାର ରାୟଗୁରୁ ଉପଦେଷ୍ଟା, ପ୍ରତାପ ପ୍ରଧାନ ଆବାହକ, ଗୁରୁପ୍ରସାଦ ଶତପଥି, ପ୍ରତାପ ନାଥ, ଏନ. ନିରଞ୍ଜନ ଦାସ, ପି ଉମେଶ ରାଓ, ସୁଦାମ ମେହେର, ସମୀର ନାୟକ, ହିମାଂଶୁ ପଟ୍ଟନାୟକ, ବିନାୟକ ପତି, ଅନିଲ ସୁବୁଦ୍ଧି, ତ୍ରିନାଥ ଭୋଇ, କିରଣ ନାୟକଙ୍କୁ ନେଇ ଏକ ଆଡହକ କମିଟି ନିର୍ବାଚିତ ହେଲେ। ଠିକା ଆଉଟ ସୋରସିଙ୍ଗ ଉଚ୍ଛେଦ ଓ ମେଡିକାଲରେ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ସରକାର ପୂରଣ ନକଲେ ଆସନ୍ତା ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ। ସମ୍ପୃକ୍ତ ଜିଲ୍ଲାର ସମସ୍ୟା ନେଇ ଜିଲ୍ଲାପାଳ ଓ ସିଡ଼ିଏମଓଙ୍କୁ ଦାବିପତ୍ର ଦିଆଯିବ ବୋଲି ପ୍ରସ୍ତାବ ପାରିତ ହେଲା।
Comments are closed.