Latest Odisha News

BREAKING NEWS

୧୨ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ କରିବାକୁ ଦାବି, ଏକନାଥ କହିଲେ ଆଇନଗତ ପ୍ରକ୍ରିୟା ଜଣା

ମୁମ୍ବାଇ: ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବାରେ ବିଫଳ ହେବା ପରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ‘ଦଳୀୟ ହ୍ୱିପ୍’ ଅମାନ୍ୟ କରିଥିବା ୧୨ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ଗତକାଲି ରାତିରେ ସେ ଏପରି ଅନୁରୋଧ କରିଛନ୍ତି।

ଶିବସେନାର ଲୋକସଭା ସାଂସଦ ବିନାୟକ ରାଉତ କହିଛନ୍ତି ଯେ ବିଧାୟକ ଦଳ ନେତା ଅଜୟ ଚୌଧରୀ ଉପବାଚସ୍ପତି ନରହରି ଜିରଓ୍ୱାଲଙ୍କୁ ଭେଟି ଏକନାଥ ସିନ୍ଦେଙ୍କ ସମେତ ୧୨ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଏକ ଚିଠି ପଠାଇଛି। ଆଇନଗତ ପ୍ରକ୍ରିୟାକୁ ଅନୁସରଣ କରି ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ଏହି ବିଦ୍ରୋହୀ ବିଧାୟକ ମଧ୍ୟରେ ଏକନାଥଙ୍କ ନାଁ ମଧ୍ୟ ରହିଥିବା ସୂଚନା ରହିଛି ।

ସେ କହିଛନ୍ତି, ‘ଆମେ ପ୍ରଥମେ ୧୨ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ କହିଥିଲୁ। ଏହି ବିଧାୟକମାନେ ଦୁଇଟି ନୋଟିସ୍ ସତ୍ତ୍ୱେ ଦଳୀୟ ବୈଠକରେ ଯୋଗ ଦେଇନଥିଲେ। ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଆବେଦନ ହୋଇଛି। ଅନ୍ୟ ବିଧାୟକମାନଙ୍କୁ ମଧ୍ୟ ଅଯୋଗ୍ୟ ଘୋଷଣା କରିବା ପାଇଁ ଆଗାମୀ ଦିନରେ ଆବେଦନ କରିପାରୁ ବୋଲି ସାଂସଦ କହିଛନ୍ତି। ଗତକାଲି ଦଳର ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ କହିଥିଲେ ଯେ ଯଦି ସେନାର ବିଦ୍ରୋହୀ ବିଧାୟକମାନେ ନ ଫେରିବେ, ତେବେ ସେମାନେ ଦଳ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ’।

ଏହାପରେ ଏକନାଥ କହିଥିଲେ, ନୋଟିସ ପଠାଇ ଧମକ ଦେବାକୁ ପ୍ରୟାସ ନକରିବା ଠିକ୍ ହେବ। ତାଙ୍କ ପାଖରେ ସଂଖ୍ୟା ବଳ ରହିଛି। ତାଙ୍କୁ ମଧ୍ୟ ଆଇନ ଜଣା ବୋଲି ଉଦ୍ଧବଙ୍କ ଗୋଷ୍ଠୀକୁ ଚେତାବନୀ ଦେଇଥିଲେ।

ତେବେ ଏହା ପୂର୍ବରୁ ଏକନାଥ ଗୋଷ୍ଠୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି କହିଥିଲେ ଯେ ତାଙ୍କ ବିରୋଧରେ ତାଙ୍କର କୌଣସି ଅଭିଯୋଗ ନାହିଁ । କିନ୍ତୁ ତାଙ୍କ ନିକଟତର ଥିବା ଲୋକମାନେ ତାଙ୍କୁ ଭେଟିବାକୁ ଦେଇନଥିଲେ। ଏକନାଥ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଭେଟିବାକୁ କେବେ ଅନୁମତି ମିଳିନାହିଁ । ଏପରିକି ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଆବଶ୍ୟକ ପାଣ୍ଠି ମିଳୁନଥିବା ଚିଠିରେ କହିଛନ୍ତି।

Leave A Reply

Your email address will not be published.