Latest Odisha News

ଅଘାଡି ସରକାରର ଭାଗ୍ୟ ନିର୍ଦ୍ଧାରଣ ହୋଟେଲରେ ହେବନି: ପାଓ୍ୱାର

ମୁମ୍ବାଇ: ଶିବସେନାରେ ଚାଲିଥିବା ବିଦ୍ରୋହକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ୱାର । ଗୁରୁବାର ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାରର ଭାଗ୍ୟ ବିଧାନସଭାରେ ନିର୍ଦ୍ଧାରଣ ହେବ।

ପାଓ୍ୱାର ଗତକାଲି ଏନସିପି ବିଧାୟକଙ୍କୁ ନେଇ ସଂଧ୍ୟାରେ ବୈଠକ କରିଥିଲେ। ଏହାପରେ କହିଥିଲେ ଯେ ବିଦ୍ରୋହୀ ବିଧାୟକ ମୁମ୍ବାଇ ଫେରିବା ପରେ ପରିସ୍ଥିତି ବଦଳିପାରେ। ବିଜେପି ଗୌହାଟାରେ ସେମାନଙ୍କୁ ନିଜ କବଜାରେ ରଖିଥାଇପାରେ । କିନ୍ତୁ ବିଧାନସଭାରେ ବିଜେପି ନେତାମାନେ ସେମାନଙ୍କୁ ମାର୍ଗ ଦର୍ଶନ କରିବାକୁ ଉପସ୍ଥିତ ରହିବେ ନାହିଁ। ତେଣୁ ସେମାନେ ମୁମ୍ବାଇ ଫେରିଲେ ପରିସ୍ଥିତି ଭିନ୍ନ ହେବ ବୋଲି ପାଓ୍ୱାର କହିଛନ୍ତି । ମହା ବିକାଶ ଅଘାଡି ସରକାର ପାଖରେ ସଂଖ୍ୟା ଗରିଷ୍ଠତା ଅଛି କି ନାହିଁ ତାହା କେବଳ ବିଧାନସଭାରେ ସ୍ଥିର ହୋଇପାରିବ।

ସେ କହିଛନ୍ତି ଯେ, ବିଦ୍ରୋହୀ ବିଧାୟକଙ୍କୁ ମୁମ୍ବାଇ ଫେରିବାକୁ ପଡ଼ିବ। ସେମାନେ ତାଙ୍କର ଅସୁବିଧା କହିବା ପରେ ବାସ୍ତବତା ଜାଣି ହେବ । ଗୌହାଟିରେ ଥିବା ଅଧିକାଂଶଙ୍କୁ ବଳପୂର୍ବକ ରଖାଯାଇଛି। ସୁରତ ଓ ଗୌହାଟୀରୁ ଦୁଇ ଜଣ ବିଧାୟକ କିଭଳି ଫେରିଲେ ସେ ନେଇ ପ୍ରଶ୍ନ କରିଛନ୍ତି। ପୂର୍ବରୁ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହକୁ ପାଓ୍ୱାର ସେନାର ଆଭ୍ୟନ୍ତରୀଣ ମାମଲା ବୋଲି କହି ଏଡ଼ାଇ ଦେଇଥିଲେ।

ଅନ୍ୟପଟେ ଏହି ବିଦ୍ରୋହ ପଛରେ ଗୋଟିଏ ଜାତୀୟ ଦଳର ହାତ ରହିଛି ବୋଲି ଏନସିପି କହିଛି। ଯେତେବେଳେ ବିଦ୍ରୋହୀ ଶିବସେନା ବିଧାୟକମାନେ ସୁରତ ଯାଇଥିଲେ, ଗୁଜରାଟ ବିଜେପି ସଭାପତି ସିଆର୍ ପାଟିଲ୍ ସେମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ସେମାନେ ଗୌହାଟିରେ ପହଞ୍ଚିବା ପରେ ବିଜେପିର କିଛି ନେତା ସିନ୍ଦେ ଓ ତାଙ୍କ ଗୋଷ୍ଠୀଙ୍କ ସହ ଥିଲେ। ତେଣୁ ଏହା ପଛରେ ବିଜେପିର ହାତ ଥିବା ସ୍ପଷ୍ଟ ହୋଇଛି ବୋଲି ପାଓ୍ୱାର କହିଛନ୍ତି।

Leave A Reply

Your email address will not be published.