Latest Odisha News

BREAKING NEWS

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ଓ୍ୱାଇଏସଆରର ସମର୍ଥନ, କେଉଁ ଦଳ ବିରୋଧରେ ?

ନୂଆଦିଲ୍ଲୀ: ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଦିଲ୍ଲୀରେ ସଂସଦ ଭବନରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିଜେ ପ୍ରାର୍ଥୀ ଦ୍ରୌପଦୀ ମଧ୍ୟ ଓଡ଼ିଶା ଭବନରୁ ବାହାରି ସଂସଦକୁ ଯାଇଛନ୍ତି। ତେବେ ଅଣ ଏନଡିଏରେ ଥିବା ବିଜେଡି ଦ୍ରୌପଦୀଙ୍କ ସମର୍ଥନ କରିଛି। ପ୍ରସ୍ତାବକ ଭାବେ ବିଜେଡି, ଓ୍ୱାଇଏସଆର କଂଗ୍ରେସ, ଜେଡିଏସ ଦଳର ନେତା ରହିବେ ବୋଲି ଜଣାପଡିଛି। ସେହିପରି ବିହାରର ଚିରାଗ ପାଶଓ୍ୱାନ ସମର୍ଥନ କରିଛନ୍ତି। ପୂର୍ବରୁ ଏଲଜେପି ସମର୍ଥନ କରିବ ବୋଲି କହିଥିବା ସୂଚନା ରହିଛି।

ଏବେ ନଜର ରହିଛି ଆମ୍ ଆଦମୀ ପାର୍ଟି ଏବଂ ଟିଆରସ ଉପରେ। ଗତକାଲି ଟିଆରଏସ ବୈଠକ କରିଥିଲା। ଏହି ବୈଠକରେ ଟିଆରଏସ ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ରହିଛି। ରାଜ୍ୟରେ ବିଜେପି ଟିଆରଏସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଯଦିଓ ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ରହିଛି। ହେଲେ ବିଜେପିକୁ ସମର୍ଥନ କରି ନିଜର ଭୋଟ୍ ହରାଇବାର ଭୟ ରହିଛି। ତେଣୁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ ବୋଲି ଜଣାପଡିଛି। ହେଲେ ଆଜି ଟିଆରଏସ ସୁପ୍ରିମୋ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଘୋଷଣା କରିବେ ବୋଲି ଜଣାପଡିଛି।

ସେହିପରି ଆନ୍ଧ୍ରପ୍ରଦେଶର ଓ୍ୱାଇଏସଆର ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି। ଏକ ବିଜ୍ଞପ୍ତି ଜରିଆରେ ଓ୍ୱାଇଏସଆର କଂଗ୍ରେସ କହିଛି। ତାଙ୍କ ଦଳ ସବୁବେଳେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦିଏ । ଜଗନଙ୍କ ଦଳର ଦୁଇ ସାଂସଦ ଦ୍ରୌପଦୀଙ୍କ ସମର୍ଥକ ରହିବେ ବୋଲି ଜଣାପଡିଛି।

ତେବେ ଆମ୍ ଆଦାମୀ ପାର୍ଟି, ଆରଜେଡି, ଏସପି, ବିଏସପି, ଏଆଇଏମଆଇଏମ୍ ଭଳି ପ୍ରମୁଖ ଦଳ କାହାକୁ ସମର୍ଥନ କରିବେ ସେ ନେଇ କୌଣସି ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି।

ଅନ୍ୟପଟେ ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଟିଏମସି, କଂଗ୍ରେସ ସମତେ 17ଟି ଦଳ ସମର୍ଥନ କରିବ ବୋଲି ଜଣାପଡିଛି। ହେଲେ  ଏନଡିଏ ଆଦିବାସୀ ପ୍ରାର୍ଥୀ ଦେଇଥିବାରୁ ଝାଡଖଣ୍ଡର ଶାସକ ଦଳ ଜେଏମଏମ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିପାରେ। ଜେଏମଏମ କିନ୍ତୁ ମିଳିତ ବିରୋଧୀ ବୈଠକରେ ଉପସ୍ଥିତ ଥିଲା।

Leave A Reply

Your email address will not be published.