ନୂଆଦିଲ୍ଲୀ: ୨୦୧୬ ମସିହା ନଭେମ୍ବର ମାସ ୮ ତାରିଖ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୮ଟାରେ ଦୂରଦର୍ଶନରେ ଭାଷଣ ଦେଲାବେଳେ ରାତି ୧୨ଟାରୁ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିଦେଇଥିଲେ। ଫଳରେ ସେତେବେଳେ ଅର୍ଥନୀତିରେ ପ୍ରଚଳନ ହେଉଥିବା ମୋଟ ନଗଦ ଅର୍ଥ ମଧ୍ୟରୁ ୮୬ ପ୍ରତିଶତ ଅର୍ଥ (୧୦୦୦ ଏବଂ ୫୦୦ ଟଙ୍କିଆ) ଅକାମୀ ହୋଇଥିଲା। ତେବେ ବିମୁଦ୍ରୀକରଣକୁ ଆଜି ୪ ବର୍ଷ ପୂରିଛି।
ତେବେ ତିନୋଟି ପ୍ରମୁଖ କାରଣ ପାଇଁ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ଅଚଳ କରିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶରେ ଦୁର୍ନୀତିକୁ ରୋକିବା ଓ ଅର୍ଥନୀତିରୁ କଳାଟଙ୍କାକୁ କାଢ଼ିବା, ନକଲି ନୋଟ୍କୁ ବାହାର କରିବା ଏବଂ ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଥିବା ଅର୍ଥ ଉପରେ ରୋକ୍ ଲଗାଇବା।
ତେବେ ବିମୁଦ୍ରୀକରଣର ମୁଖ୍ୟ ଲକ୍ଷ୍ୟ ଅର୍ଥନୀତିରେ ନଗଦ କାରବାରକୁ କମାଇ ଡିଜିଟାଲ କାରବାର ବଢ଼ାଇବା ବୋଲି ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଥିଲେ। ତେବେ ଦେଶରେ ଏବେ ଡିଜିଟାଲ କାରବାର ବଢ଼ିଛି। କରୋନା ମହାମାରୀ ଯୋଗୁଁ ଡିଜିଟାଲ କାରବାର ବଢ଼ିଥିବା ମତ ପ୍ରକାଶ ପାଉଛି। ଡିଜିଟାଲ କାରବାର ଯୋଗୁଁ ଅର୍ଥନୀତିରେ କଳାଟଙ୍କାର ଉପଯୋଗ ମଧ୍ୟ ହ୍ରାସ ପାଇଛି ବୋଲି ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲସର୍କଲସ ପକ୍ଷରୁ ହୋଇଥିବା ସର୍ଭେରେ କୁହାଯାଇଛି।
Comments are closed.