Latest Odisha News

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା, ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରଦୀପ, ପୁରୀ ଏବଂ ଚାନ୍ଦବାଲି ଓ ଧାମରାରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ପ୍ରବଳ ବର୍ଷା ନେଇ ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ସୋନପୁର, ଦେବଗଡ଼, ବୌଦ୍ଧ, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୧୨ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି ଭାବେ ୧୪ ତାରିଖ ଯାଏ ବର୍ଷା ଲାଗି ରହିବ । ଏବେ ଅବପାତ ଗୋପାଳପୁର ଠାରୁ ଉତ୍ତର-ପଶ୍ଚିମ ଦିଗରେ ୨୫ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ଗତି କରିବା ସହ ଧୀରେ ଧୀରେ ଦୁର୍ବଳ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗତ ୨୪ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି । ୩୪ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ୧୫୪ମିମି ଢେଙ୍କାନାଳ ସହରରେ ରେକର୍ଡ କରାଯାଇଛି । ଅନ୍ୟପଟେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆକଳନ ଅନୁସାରେ ଓଡ଼ିଶାରେ ଅଧିକ ବର୍ଷା ହେବ । ଆଉ ଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ଆସନ୍ତା ୧୭ ଓ ୧୮ ତାରିଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.