ଭୁବନେଶ୍ଵର: ଆଜି ଲୋକସେବା ଭବନ କନଭେନସନ ହଲରେ ଯୌତୁକ ଏବଂ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ-୨୦୦୫ ଏବଂ ଯୌତୁକ ନିଷେଧ ଅଧିନିୟମ-୧୯୬୧ ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ରିଲ୍ସ ନିଶା କାରଣରୁ ଘରୋଇ ହିଂସା ବଢ଼ୁଛି । ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ଯୋଗୁଁ ଭାଙ୍ଗୁଛି ସୁନାର ସଂସାର । ତେଣୁ ପୂଜା ସମୟରେ ଯେପରି ଉପବାସରେ ରୁହନ୍ତି ସେହିଭଳି ରିଲ୍ସ ଓ ସୋସିଆଲ୍ ମିଡିଆ, ମୋବାଇଲ ଠାରୁ ମହିଳାମାନେ କିଛି ସମୟ ବିରତି ଦେବାକୁ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅପିଲ କରିଛନ୍ତି ।
ସେ ଆହୁରି କହିଛନ୍ତିଯେ, ଆଜି ବି ଯୌତୁକ ଜୁଇରେ ମହିଳା ଜଳୁଛନ୍ତି । ଯାହାକି ଚିନ୍ତାଜନକ। ଆଗକୁ ଘରୋଇ ହିଂସା କମାଇବା ପାଇଁ ଥାନାରେ ମହିଳା ଓ ଶିଶୁ ଡେସ୍କକୁ ମଜବୁତ କରାଯିବ। ଖାଲି ଥିବା ପଦବୀ ପୂରଣ କରାଯିବ। ମହିଳାଙ୍କ ସୁରକ୍ଷା ପାଇଁ ଥିବା ଆଇନର ଦୂରୁପଯୋଗ ଅକ୍ଷମଣୀୟ। ଅତ୍ୟାଚାର ପାଇଁ ସଚେତନତା ଯେତିକି ଜରୁରୀ ତାର ଦୂରୁପଯୋଗକୁ ଜଗିବା ତା’ ଠାରୁ ଅଧିକ ଜରୁରୀ ।
ଝିଅ ନିଜେ ରୋଜଗାର କରୁଥିଲେ ବି ନିଜ ପଇସା ଖର୍ଚ୍ଚ କରିବା ପାଇଁ ସେମାନଙ୍କୁ ଅଧିକାର ମିଳୁନି। ଝିଅମାନଙ୍କୁ ନିଜ ପରିବାର ସଦସ୍ୟ ଏବଂ ଆତ୍ମୀୟସ୍ୱଜନ ହିଁ ସବୁଠୁ ଅଧିକ ଅତ୍ୟାଚାର କରନ୍ତି । ନିଜ ଘର ଭିତରେ ହିଁ ଭୁଲ ହୋଇଯାଏ। । ତେଣୁ ମହିଳାଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା ଦିଗରେ ଅଧିକ ସଚେତନତା ଜରୁରୀ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
Comments are closed.